ସମ୍ବଲପୁରରେ ବି ହାତୀ ଅସୁରକ୍ଷିତ: ଜୀବନ ସହ ସଂଗ୍ରାମ କରୁଛନ୍ତି ୨ ହାତୀ

ପଡ଼ିଆବାହାଲ/ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆବାହାଲ ବନାଞ୍ଚଳରେ ହାତୀ ଏବେ ଅସୁରକ୍ଷିତ। ନିକଟ ଅତୀତରେ ଏହି ବ୍ଲକ ଅଞ୍ଚଳରେ ହାତୀ ଶିକାର ହୋଇଥିବାବେଳେ ଏବେ ଏକସଙ୍ଗରେ ଦୁଇଟି ଅସୁସ୍ଥ ହାତୀ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଗୋଟିଏ ଅସୁସ୍ଥ ହାତୀ ପାଣି ପିଇବାକୁ ଆସି ‌ପୋଖରୀ ଭିତରେ ପଶି ରହିଥିବା ବେଳେ ଅନ୍ୟ ଗୋଟିଏ ହାତୀ ଗାଁ ପାଖ ଜଙ୍ଗଲରେ ପଡ଼ି ରହିଛି।

ଗତ ୨୯ ତାରିଖ ଦିନ ପଡ଼ିଆବାହାଲ ବନାଞ୍ଚଳରେ ଏକ ଆହତ ଦନ୍ତାହାତୀ ବୁଲୁଥିବା ଦେଖାଯାଇଥିଲା। ହାତୀଟି ଶରୀରରେ ଆଘାତ ଲାଗିଥିଲା। ଦୁଇ ହାତୀ ମଧ୍ୟରେ ସଂଘର୍ଷ ଯୋଗୁ ଏଭଳି ଆଘାତ ଲାଗିଥିବା ବନ ବିଭାଗ କହିଥିଲା। ତେବେ, ଏହି ହାତୀକୁ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ବନ ବିଭାଗକୁ ୪ ଦିନ ସମୟ ଲାଗିଯାଇଥିଲା। ଗତ ୨ ତାରିଖ ଦିନ ଆହତ ହୋଇ ଚାଲି ପାରୁନଥିବା ଦନ୍ତା ହାତୀର ଚିକିତ୍ସା ଭୁବନେଶ୍ୱର ଓୟୁଏଟିରୁ ଆସିଥିବା ଚିକିତ୍ସକ ଦଳ ଏବଂ ଯୁଯୁମୁରା ପ୍ରାଣୀଧନ ଚିକିତ୍ସକ ଚିକିତ୍ସା କରିଥିଲେ। ଆହତ ହାତୀଟି ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିଲାବେଳେ ଗତକାଲିଠାରୁ ବଡ଼ସାହିର ବନାଞ୍ଚଳ ଅଧୀନସ୍ଥ ସାପଲହରା ମହାଦେବ ମନ୍ଦିର ସଂଲଗ୍ନ ପୋଖରୀରେ ପାଣି ପିଇବାକୁ କିମ୍ବା ଗାଧୋଇବାକୁ ଆସିଥିଲା। ପୋଖରୀ ପଙ୍କରେ ଗୋଡ଼ ଫସିଯାଇଥିବା ବେଳେ ଦୁର୍ବଳ କାରଣରୁ ଆଉ ବାହାରି ପାରିନଥିଲା। ପୋଖରୀ ମଧ୍ୟରେ ହାତୀଟି‌ ଶୋଇପଡୁଛି। ଆଗ ଡ଼ାହାଣ ଗୋଡ଼ରେ ହୋଇଥିବା ଘା’ ଶୁଖିନାହିଁ। ଉଠିବାପାଇଁ ପାଣିରୁ ବାହାରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଛି। ଖବର ପାଇ ପଡ଼ିଆବାହାଲ ରେଞ୍ଜ ଅଧିକାରୀ ସଦଳବଳେ ପହଁଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ହାତୀକୁ ୨ଟି ଇଞ୍ଜେକ୍‌ସନ ଦେବା ପରେ ସେ ଛିଡ଼ା ହେବାକୁ ସକ୍ଷମ ହୋଇଥିଲେହେଁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୋଖରୀରୁ ବାହାରିପାରିନାହିଁ। ଆହତ ହାତୀର ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ସୁସ୍ଥ ହୋଇପାରିନାହିଁ।

ଏପଟେ ଅନ୍ୟ ଏକ ହାତୀ ସେହି ପଡ଼ିଆବାହାଲ ବନାଂଚଳ ଅନ୍ତର୍ଗତ ବାହାମ ଗାଁ ଆମ୍ବ ବୁରେଇ ନିକଟରେ ପଡ଼ିଛି। ଏହି ହାତୀର ଡାହାଣ ଗୋଡ଼ରେ ଆଘାତ ଲାଗିଥିବା କହାଯାଉଛି। ହାତୀଟି ଠିକ୍ ଭାବ‌େ ଚାଲିପାରୁନାହିଁ। ହାତୀଟିର ଗୋଡ଼ରେ ଆଘାତ ଲାଗିଥିବାରୁ ଏହାର ବି ଚିକିତ୍ସା ନିହାତି ଆବଶ୍ୟକ ବୋଲି ଜଣାପଡ଼ିଛି l ତେବେ, ଏପର୍ଯ୍ୟନ୍ତ ଏହି ହାତୀକୁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିନାହିଁ। ଆଜି ସମ୍ବଲପୁର ଡିଏଫଓ ଘଟଣାସ୍ଥଳ ପରିଦର୍ଶନ କରି ବିଭାଗୀୟ କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବରୁ ଏସିଏଫ ମଧ୍ୟ ଆହତ ହାତୀକୁ ଦେଖି ଯାଇଛନ୍ତି। ହାତୀର ଚିକିତ୍ସା ପାଇଁ ବିଭାଗୀୟ କତ୍ତୃର୍ପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କୁହାଯାଇଛି।

ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା ଅନୁସାରେ, ବଡ଼ସାହିର, ବାହାମ ଓ ତୁରାଙ୍ଗରେ ମିଶି ସମ୍ପ୍ରତି ୪ଟି ହାତୀ ଦେଖାଯାଉଥିଲା ବେଳେ ଆଉ ଦୁଇଟି ମୁର୍ଗାବାରି/ମାଳିମୁଣ୍ଡା ଅଞ୍ଚଳରେ ଥିବା ଅନୁମାନ କରାଯାଏ l ଗତକାଲି ତୁରାଙ୍ଗ ଗାଁରେ ଗୋଟିଏ ହାତୀ ପଶି ଧାନ ଖାଇଯାଇଥିବା ଅଭିଯୋଗ ହୋଇଛି। ଆଜି ପୁଣି ସକାଳୁ ତୁରାଙ୍ଗ ଗାଁକୁ ୨ଟି ହାତୀ ଆସିଥିବା ବେଳେ ଗ୍ରାମବାସୀ ଘଉଡ଼ାଇ ଦେଇଥିଲେl ଏବେ ଅପରାହ୍ନ ୪ଟା ବେଳେ ପୁଣି ତୁରାଙ୍ଗ ଗାଁରେ ହାତୀ ଉପସ୍ଥିତି ଦେଖି ପୂର୍ବତନ ସରପଞ୍ଚ ମିତ୍ରଭାନୁ ପଧାନ ବନ ବିଭାଗକୁ ଡାକି ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର