ବଡ଼ମ୍ବା : ଆଠଗଡ଼ ବନାଞ୍ଚଳ ତଥା ବଡ଼ମ୍ବା ବନଖଣ୍ଡ ଅଧୀନ ହଳଦିଆ ପାହାଡ଼ ଓ ନାଗତୋଟା ସଂଲଗ୍ନ ଅରାଣ୍ଡା ଦଳିତସାହି ନିକଟରେ ଗତକାଲି ବିଳମ୍ବିତ ରାତିରେ ବଜ୍ରପାତ ହେବାରୁ ଏକ ଦନ୍ତା ହାତୀ ପ୍ରାଣ ହରାଇଛି। ମୃତ ହାତୀର ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଗତକାଲି ରାତି ପ୍ରାୟ ୩ଟାରେ ବଡ଼ମ୍ବା ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଦଳଛଡ଼ା ହୋଇ ଏକୁଟିଆ ଅରାଣ୍ଡା ଦଳିତସାହି ନିକଟକୁ ଚାଲି ଆସିଥିବା ଦନ୍ତାହାତୀ ବଜ୍ରପାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଆଜି ସକାଳେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ହାତୀର ମୃତଦେହ ପୋତି ଦିଆଯାଇଛି।