ଭଞ୍ଜନଗର: ରାତିରେ ନିଜର ଧାନ ଫସଲ ଜଗିବା ଲାଗି ଯାଇଥିବା ଜଣେ ଚାଷୀ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଥିବାର ଖବର ମିଳିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଖେତମୁଣ୍ଡଳୀ ଗାଁରେ। ମୃତ ବ୍ୟକ୍ତି ହେଲେ ପବିତ୍ର ପାତ୍ର(୪୮)। ତାଙ୍କର ଏକ ୧୪ ବର୍ଷର ପୁଅ ଓ ୧୨ ବର୍ଷର ଝିଅ ଅଛନ୍ତି।
ସୂଚନା ଅନୁଯାୟୀ, ଉତ୍ତର ଘୁମୁସର ବନଖଣ୍ଡରେ ୧୭ଟି ହାତୀ ଥିବା ହେତୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଚାଷୀମାନେ ହାତୀ ଫସଲ ନଷ୍ଟ କରିଦେବ, ଏନେଇ ଆଶଙ୍କାରେ ରହିଛନ୍ତି। ଏଣୁ ରାତିରେ ଚାଷୀମାନେ ଧାନ ଫସଲ ଜଗିବା ଲାଗି ଯାଇଥାନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଖେତମୁଣ୍ଡଳୀ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଥିବାର ଖବର ପାଇ ଗାଁର କିଛି ଲୋକ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ପବିତ୍ରଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ବନବିଭାଗ ମୃତଦେହ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଣେ ଭାଗଚାଷୀ ପବିତ୍ର ପାତ୍ରଙ୍କୁ କ୍ଷତିପୂରଣ ଦିଆଯିବା ଲାଗି ଦାବି ହୋଇଛି।