ଦନ୍ତାକୁ ନୃଶଂସ ହତ୍ୟା, ଉପାଡ଼ି ନେଲେ ଦାନ୍ତ

ଭଞ୍ଜନଗର: ରାଜ୍ୟରେ ହାତୀମୃତ୍ୟୁ ସଂପ୍ରତି ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଆଜି ସନ୍ଧ୍ୟାରେ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ଶବଟି ପାଣି ରହିଥିବା ଖାଲୁଆ ସ୍ଥାନରେ ପଡ଼ିଛି। ପାଣିର ରଙ୍ଗ ଲାଲ୍ ହୋଇଯାଇଥିବା ବେଳେ ହାତୀର ଗୋଟିଏ ଦାନ୍ତ ନଥିବା ଦେଖିବାକୁ ମିଳିଛି। ଫଳରେ ଶିକାରୀମାନେ ହାତୀଟିକୁ ନୃଶଂସ ଭାବେ ହତ୍ୟା କରିବା ପରେ ଦାନ୍ତ ଓପାଡ଼ି ନେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ହାତୀର ଦାନ୍ତକୁ ଏପରି ନୃସଂସ ଭାବେ କାଟିଛନ୍ତି ଯେ, ପାଣି ମଧ୍ୟ ରକ୍ତମୟ ହୋଇଯାଇଛି। ଏହାସହ ଶବଟି ୩ରୁ ୪ ଦିନ ହେଲା ପଡ଼ିରହିଥିବା ସନ୍ଦେହ ଜାତ ହୋଇଛି।

ତେବେ ବନବିଭାଗ ରାତାରାତି ଜେସିବି ଆଣି ଶବକୁ ସେଠାରୁ ବାହାର କରି ଘଟଣାକୁ ଚାପି ଦେବାକୁ ରୀତିମତ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ସେହିପରି ହାତୀଟିକୁ ଶିକାର ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗକୁ ବନ ବିଭାଗ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନି। କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ ସଫେଇ ଦେଇଛନ୍ତି। ମୁଜାଗଡ଼ ବନାଞ୍ଚଳରେ ୨୧ଟିକିଆ ହାତୀପଲ ବହୁଦିନ ହେଲା ସେମାନଙ୍କ ଗତିବିଧି ଜାରି ରଖିଛନ୍ତି। ଉକ୍ତ ଦନ୍ତାହାତୀଟି ଏକ ସପ୍ତାହ ହେଲା ପଲରୁ ଅଲଗା ହୋଇ ଏକୁଟିଆ ବୁଲୁଥିବା ବନ ବିଭାଗ ଜାଣିଥିଲା। ଆଜି କିଛି ଗ୍ରାମବାସୀ ଜାଳେଣି କାଠ ଆଣିବାକୁ ଆସିଥିବା ଶବଟିକୁ ଦେଖିଥିଲେ। ସୂଚନା ପାଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସହକାରୀ ବନ ସଂରକ୍ଷକ ବିକ୍ରମଦେବ ପଟ୍ଟନାୟକ ଏବଂ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର