ବିଦ୍ୟୁତ୍ ଫାଶରେ ପଡ଼ି ହାତୀ ମୃତ୍ୟୁ, ୪ ଗିରଫ

ପଦାରେ ପଡ଼ିଲା ବନ ବିଭାଗ-ଶିକାରୀଙ୍କ ମଧୁଚନ୍ଦ୍ରିକା

ବୁଗୁଡ଼ା : ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳରେ ବେଧଡ଼କ୍ ଭାବ‌େ ବନ୍ୟଜନ୍ତୁ ଶିକାର ଚାଲିଥିଲା। ବିଦ୍ୟୁତ୍ ତାର ବିଛାଇ ବାର୍‌ହା ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କୁ ମରାଯିବା ସହ ମାଂସ ବିକ୍ରି ହେଉଥିଲା। ପୂର୍ବରୁ ଏଭଳି ଅନେକ ଘଟଣାର ନଜିର୍ ରହିଥିଲେ ବି ବନ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥ କୁନ୍ଥ ହେଉଥିଲା। ଏପରିକି ଗତ ୧୨ ତାରିଖରେ ବିଦ୍ୟୁତ୍ ଆଘାତରେ ପଡ଼ି ଏକ ଛୁଆ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଅଭିଯୋଗକୁ ବନ ବିଭାଗ ଖଣ୍ଡନ କରୁଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ସବୁ ଗୁମର ଖୋଲିଦେବା ପରେ ବନ ବିଭାଗ ତରବରିଆ ଭାବେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି।

ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବନ ବିଭାଗ କର୍ମଚାରୀମାନେ ବେଲପଡା ଗ୍ରାମର ଜଗା ନାୟକ, ମହେଶ୍ୱର ନାୟକ, ଭିକାରି ସ୍ବାଇଁ, ସନ୍ତୋଷ ନାୟକ, କୃଷ୍ଣଚନ୍ଦ୍ର ନାୟକ, କାମ୍ପ ନାଇକ ଓ ପୂର୍ଣ୍ଣଚନ୍ଦ୍ର ନାଇକକୁ ଉଠାଇ ଆଣିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଗଣମାଧ୍ୟମ ଆଗରେ କାହାର ନାମ ମଧ୍ୟ ପ୍ରକାଶ କରାଯାଇନି।

ପୂର୍ବରୁ ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ମାଂସ ବିକ୍ରି ଅଭିଯୋଗରେ କାବୁ କରାଯାଉଥିଲା। କିନ୍ତୁ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନନେଇ ସେମାନଙ୍କୁ ବହୁବାର ଛାଡ଼ିଦେଇଥିଲେ। ଗତ ଛାଡ଼ଖାଇ ଦିନ ଏହି ଶିକାରୀମାନେ ସାପୁଆ ଅଞ୍ଚଳରେ ବାର୍‌ହା ଶିକାର କରି ଗାଁରେ ମାଂସ ବିକ୍ରି କରିଥିଲେ। ପୂର୍ବରୁ ଗ୍ରାମରେ ବୈଠକ ଡକାଯାଇ ଏମାନଙ୍କୁ ଶିକାର ପାଇଁ ବିଦ୍ୟୁତ୍ ତାର ନ ବିଛାଇବାକୁ ତାଗିଦ୍ କରାଯାଇଥିଲା। ତଥାପି ବନ ବିଭାଗର କିଛି ଅଧିକାରୀଙ୍କ ପରୋକ୍ଷ ପ୍ରୋତ୍ସାହନରେ ଏମାନେ ନିର୍ଭୟରେ ଶିକାର କରିଆସୁଥିଲେ। ହାତୀ କରିବା ପରେ ସମସ୍ତ ଗୁମର ଖୋଲିଛି। ବିଦ୍ୟୁତ୍ ଫାଶ ପକାଇଥିବା ମୁଖ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ବନ ବିଭାଗ ଧରିପାରିନି। ‌ଗିରଫ ୪ ଜଣ ଅଭିଯୁକ୍ତଙ୍କ ନାମରେ ବନ୍ୟଜନ୍ତୁ ଶିକାର ନେଇ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର