ଗଞ୍ଜାମରେ ପୁଣି ଦନ୍ତାହତ୍ୟା, ଦାନ୍ତ କାଟିନେଲେ

ଜଗନ୍ନାଥପ୍ରସାଦ/ବେଲଗୁଣ୍ଠା/ପ୍ରତାପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀକୁ ହତ୍ୟା କରି ଦାନ୍ତ ଲୁଟି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଆଜି ସନ୍ଧ୍ୟାରେ ଗୋଟିଏ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ତା’ର ଶରୀରର ପଛଭାଗରେ ଏକ ଛିଦ୍ର ରହିଥିବା ବେଳ‌େ ଡାହାଣ ଦାନ୍ତଟି ନାହିଁ। ଫଳରେ ତାକୁ ଗୁଳି କରି ଶିକାରୀମାନେ ଦାନ୍ତ ନେଇଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ମୃତ ଦନ୍ତାଟିର ବୟସ ଆନୁମାନିକ ୪୦ ବର୍ଷ ହୋଇଥିବା ବେଳ‌େ ଦୁଇରୁ ତିନିଦିନ ତଳେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳ‌େ ଶେଷ ଖବର ସୁଦ୍ଧା ଶବକୁ ରାତି ହୋଇଯାଇଥିବାରୁ ଏଯାବତ୍ ସେଠାରୁ ଉଦ୍ଧାର କରାଯାଇନି।

ଗତ ୧୭ ତାରିଖରେ ଗୋଟିଏ ମାଈହାତୀ, ଗୋଟିଏ ପିଲା ଓ ଗୋଟିଏ ଦନ୍ତହାତୀ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ କାଦପଡ଼ା ଜଙ୍ଗଲ ଦେଇ ଉତ୍ତର ଘୁମୁସର ବନଖଣ୍ଡକୁ ଆସିଥିବା ଟ୍ରାକ୍‌ରୁ ଜଣାପଡ଼ିଥିଲା। ତେବ‌େ ଆଜି କାଜୁଜଙ୍ଗଲ ନିକଟରୁ ଦୁର୍ଗନ୍ଧ ବାହାରିବା ସୂଚନା ମିଳିବା ପରେ ବିଡ଼ିପୁର ବିଟ୍ ଗାର୍ଡ଼ ଧନୁର୍ଦ୍ଧର ବେହେରା ପହଞ୍ଚି ହାତୀଟିର ଶବକୁ ଠାବ କରିଥିଲେ। ସଂଗେ ସଂଗେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ସଦଳବଳେ ପହଞ୍ଚିଥିଲେ। ହାତୀଟିର ଶବ ଗୋଟିଏ କଡ଼କୁ ରହିଥିବା ବେଳ‌େ ପାଖରେ କିଛି ବିଦ୍ୟୁତ୍ ତାର ବି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଡାହାଣ ଦାନ୍ତଟି ନଥିବା ସହ ପଛଭାଗରେ ଗୋଟିଏ ଛିଦ୍ର ଥିଲା। ଫଳରେ ବିଦ୍ୟୁତ୍ ଆଘାତରେ ନା’ ଗୁଳିମାଡ଼ରେ ହାତୀଟିର ମୃତ୍ୟୁ ହୋଇଛି ଏନେଇ କିଛି ସ୍ପଷ୍ଟ ହୋଇପାରିନି।

ତେବେ ରାତି ହୋଇ ଯାଇଥିବାରୁ ହାତୀଟିର ଶବକୁ ସେଠାରୁ ଉଦ୍ଧାର କରାଯାଇ ପାରିନି। ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଜଗି ରହିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ସୂଚନା ଥାଉକି, ଗତ ୬ ତାରିଖରେ ମୁଜାଗଡ଼ ରେଞ୍ଜ୍ ଇଲାକାରେ ଏକ ଦନ୍ତାର ଗଳିତ ଶବ ମିଳିଥିଲା। ଶିକାରୀମାନେ ତାକୁ ଗୁଳି କରି ଦୁଇଟିଯାକ ଦାନ୍ତ ନେଇଯାଇଥିଲେ। ଏହି ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିବା ସହ ଦୁଇଟି ଦାନ୍ତକୁ ମଧ୍ୟ ଜବତ କରିଥିଲା। ଆଜି ପୁଣି ଏକ ଦନ୍ତା ଶିକାର ବନ ବିଭାଗର ଦାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର