ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: କାରଣଦର୍ଶାଅ ନୋଟିସର ଉତ୍ତର ଦେଲାନି ରେଳବାଇ

ଦୋଷ ଠେଲାଠେଲିରେ ସୀମିତ ହାତୀ ସୁରକ୍ଷା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଯେତେ ହାତୀ ମରୁଛନ୍ତି, ବନ ବିଭାଗ ସେତିକି ବାହାନା ନେଉଛି। ୫ ବର୍ଷରେ କେନ୍ଦୁଝର ଜିଲ୍ଲାରେ ୨୬ଟି ହାତୀଙ୍କ ଜୀବନ ଗଲାଣି। ଏସବୁ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗ କେତେବେଳେ ରେଳବାଇ ତ କେବେ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛି। ଆଉ କେତେବେଳେ ଅଜଣା ରୋଗକୁ ଦାୟୀ କରି ବନ ବିଭାଗ ଖସିଯାଉଛି। କେବେ ବି ବନ ବିଭାଗ ହାତୀ ମୃତ୍ୟୁ ପାଇଁ ନିଜ ମୁଣ୍ଡକୁ ଦୋଷ ନେଉ ନାହିଁ। ହାତୀ ମୃତ୍ୟୁ ପରେ କାହା ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମୋଟାମୋଟି ଭାବେ ବିଭାଗ ବିଭାଗ ମଧ୍ୟରେ ଦୋଷ ଠେଲାଠେଲିରେ ସୀମିତ ରହିଯାଉଛି ଗଜରାଜଙ୍କ ସୁରକ୍ଷା। ମେ ୧୯ ତାରିଖ ଟ୍ରେନ୍‌ ଧକ୍କାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟଣାରେ ଏହା ସ୍ପଷ୍ଟ ହୋଇଯାଇଛି।

ମେ ୧୯ ତାରିଖ ରାତିରେ ଯୋଡ଼ା ବ୍ଲକ୍‌ ବାଂଶପାଣିସ୍ଥିତ ବେହେରାହଟିଂ ପାଖରେ ଏକ ହାତୀପଲ ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ଟ୍ରେନ୍‌ ହାତୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଟିଏ ମାଈ ଏବଂ ଦୁଇଟି ଛୁଆହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହାତୀ ମୃତ୍ୟୁ ପରେ ବନ ବିଭାଗ ଦର୍ଶାଇଥିଲା ଯେ, ହାତୀପଲଙ୍କ ଚଳାଚଳ ସମ୍ପର୍କରେ ବହୁ ପୂର୍ବରୁ ରେଳବାଇକୁ ଅବଗତ କରାଯାଇଥିଲା। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍‌ର ଗତି କମ ରଖିବା ସହିତ ଲମ୍ବାହର୍ଣ୍ଣ ଦେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବନ ବିଭାଗର ଏହି ସତର୍କତାକୁ ରେଳବାଇ ଅନୁପାଳନ କରି ନ ଥିଲା। କାହିଁକି ଏବଂ କେଉଁ ପରିସ୍ଥିତିରେ ବନ ବିଭାଗର ସତର୍କତାକୁ ରେଳବାଇ ପାଳନ କଲା ନାହିଁ ତାହାର କାରଣ ଜଣାଇବାକୁ ବନ ବିଭାଗ ପକ୍ଷରୁ ଚକ୍ରଧରପୁରସ୍ଥିତ ସିନିଅର ଡିଭିଜିନାଲ ଅପରେସନ ମ୍ୟାନେଜରଙ୍କୁ ନୋଟିସ କରାଯାଇଥିଲା। ମେ ୨୧ ତାରିଖରେ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲେ ବି ଏଯାଏ ରେଳବାଇ ଉତ୍ତର ଦେବାକୁ ଉଚିତ ମଣିଲା ନାହିଁ।

ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ ସେ କହିଥିଲେ, ରେଳବାଇକୁ ଯେଉଁ ନୋଟିସ୍‌ କରାଯାଇଥିଲା ତାହାର ଉତ୍ତର ଏଯାଏ ମିଳିଲା ନାହିଁ। ରେଳବାଇକୁ ଆଉଥରେ ନୋଟିସ୍‌ କରାଯିବ ବୋଲି ‌ସେ କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରେଳବାଇ ନିଜର ଅବହେଳା ପ୍ରଦର୍ଶନ କରିଥିବା ବେ‌ଳେ ବନ ବିଭାଗ ବି ରେଳବାଇକୁ ଦୋଷ ଠେଲିଦେଇ ଚୁପ୍‌ ବସିଛି। ଅର୍ଥାତ୍‌ ଏଯାଏ ରେଳବାଇକୁ ରିମାଇଣ୍ଡର ଦିଆଯାଇ ନାହିଁ। ଏହି ଘଟଣାରେ ଯଦି ଉଭୟ ବିଭାଗ ଚୁପ୍‌ ରହିବେ, ତେବେ ଏଥିରୁ ବୁଝାଯିବ ଯେ ହାତୀ ମୃତ୍ୟୁ ରୋକିବା ଦିଗରେ କାହାରି ଆଗ୍ରହ ନାହିଁ।

ସମ୍ବନ୍ଧିତ ଖବର