ଗଞ୍ଜେଇ ଚାଷ ପାଇଁ ହାତୀ ହତ୍ୟା, ସୁପାରି ଦେଇଥିଲେ ମାଫିଆ!

ବୌଦ୍ଧ : ସାଧାରଣତଃ ପ୍ରତିଶୋଧ ଅଥବା ପତିଆରାରେ ବାଧକ ସାଜୁଥିବା ବ୍ୟକ୍ତିଙ୍କୁ ସୁପାରି କିଲର୍‌ ସାହାଯ୍ୟରେ ହତ୍ୟା କରିବା ଶୁଣାଯାଏ। ହେଲେ, ବୌଦ୍ଧ ଜିଲ୍ଲାରେ କୌଣସି ବ୍ୟକ୍ତି ପାଇଁ ନୁହେଁ ବରଂ ହାତୀଙ୍କୁ ହତ୍ୟା କରିବା ପାଇଁ ସୁପାରି କିଲର୍‌ଙ୍କ ସାହାଯ୍ୟ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ କିଆରି ନଷ୍ଟ କରିଥିବାରୁ ସୁପାରି ଦେଇ ଶିକାରୀ ମଗାଇ ହତ୍ୟା କରାଯାଇଥିବା ଜଣାଯାଇଛି।

ଧାନ ଚାଷକୁ ବାଦ ଦେଲେ ବୌଦ୍ଧ ଜିଲ୍ଲାରେ ବହୁଳ ଭାବରେ ଗଞ୍ଜେଇ ଚାଷ ହୁଏ। ଏଥିପାଇଁ ସମଗ୍ର ବନାଞ୍ଚଳକୁ କବ୍‌ଜା କରି ରଖିଛନ୍ତି ଗଞ୍ଜେଇ ମାଫିଆ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବିସ୍ତୀର୍ଣ୍ଣ ସମତଳ ଭୂମିରୁ ଗଛ କାଟି ଚ‌ାଷୋପଯୋଗୀ କରନ୍ତି। ବୈଜ୍ଞାନିକ ଜ୍ଞାନ କୌଶଳରେ ଗଞ୍ଜେଇ ଚାଷ ହୁଏ। ଅଧିକ ଅମଳ ପାଇଁ ଶ୍ରୀପଦ୍ଧତିରେ ଗଛରୋପଣ କରି ଜଳସେଚନର ବ୍ୟବସ୍ଥା କରାଯାଏ। ଗୋବର ଖତ, ରାସାୟନିକ ସାର ଓ ଜୈବିକ ସାର ପ୍ରୟୋଗ କରି ଅତି ଯତ୍ନ ସହକା‌ରେ ଚାଷ କରାଯାଏ। ସ୍ଥାନୀୟ ଲୋକଙ୍କ ସହାୟତାରେ ମାଫିଆମାନେ ଗଞ୍ଜେଇ ଚାରା ରୋପଣରୁ ଅମଳ ହେବା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଏଥିରୁ କୋଟି କୋଟି ଟଙ୍କା ଆୟ ‌ହୁଏ। ତେଣୁ ଚାଷ ଓ ଅମଳ ସମୟରେ କେହି ବାଧା ସୃଷ୍ଟି କରିବା ମାନେ ମାଫିଆଙ୍କ ଟାର୍ଗେଟ୍‌କୁ ଆସିବା ସାର। ବାହର ଲୋକ ଜଙ୍ଗଲ, ପାହାଡ଼ ଅତିକ୍ରମ କରି ଚାଷ ହେଉଥିବା ସ୍ଥାନକୁ ପହଞ୍ଚିବା ଅସମ୍ଭବ। ସଂଘବନ୍ଧ ଭାବରେ ପର୍ଯ୍ୟାପ୍ତ ପୁଲିସ ବଳ ନେଇ ନଗଲେ ଜୀବନ ଧରି ଫେରିବା ମୁସ୍କିଲ। ଜଙ୍ଗଲରେ ମାଫିଆଙ୍କ ରାଜ୍‌ ଚାଲିଛି। ଏପରି ସ୍ଥଳରେ ଅଧିକାଂଶ ସ୍ଥାନକୁ ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ପହଞ୍ଚି ପାରୁନାହାନ୍ତି।

ଚଳିତ ମାସ ତିନି ଦିନରେ ଦୁଇଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ଘଟଣା ପରେ ହାତୀ ମୃତ୍ୟୁର କାରଣ ନେଇ ଏକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁସାରେ ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ କିଆରିକୁ ହାତୀପଲ ପ୍ରତିବର୍ଷ ନଷ୍ଟ କରୁଛନ୍ତି। ଚଳିତ ବର୍ଷ ଠିକ୍‌ ଅମଳ ସମୟରେ ହାତୀପଲ ମାଡ଼ି ଦଳି ଅନେକ କିଆରି ନଷ୍ଟ କରିଛନ୍ତି। ଫଳରେ ମାଫିଆଙ୍କ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଦନ୍ତା ହାତୀଙ୍କ ନିୟନ୍ତ୍ରଣରେ ହାତୀପଲ ଯାତାୟତ କରୁଥିବାରୁ କିଆରି ନଷ୍ଟ କରିବାରେ ମୁଖ୍ୟତଃ ଦନ୍ତା ହାତୀ ଦାୟୀ। ତେଣୁ ଦନ୍ତା ହାତୀଙ୍କୁ ମାରିବା ପାଇଁ ସୁପାରି ଦେଇ ଶିକାରୀଙ୍କୁ ଡକାଇଥିବା ଚର୍ଚ୍ଚା ହେଉଛି। ପଡ଼ୋଶୀ ଜିଲ୍ଲାର ନାମକରା ଶିକାରୀମାନେ ଆସି ଜଙ୍ଗଲ ଗାଁମାନଙ୍କରେ ଆତ୍ମୀୟ ଭଳି ରହିଥିବା ଜଙ୍ଗଲ ସଂଲଗ୍ନ କିଛି ଗାଁରେ ଆଲୋଚନା ହେଉଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ହାତୀଙ୍କ ଗତିବିଧି ଉପରେ ନଜର ରଖି ସୁଯୋଗ ଦେଖି ଶିକାର କରିଥିବା ସୂଚନା ମିଳିଛି।

ଏ ବିଷୟରେ ଡିଏଫ୍‌ଓ ଦେବପ୍ରିୟ କମ୍ପଙ୍କ ମତାମତ ଲୋଡ଼ା ଯିବାରେ ହାତୀ ମୃତ୍ୟୁ ଘଟଣା ତଦନ୍ତ ପରିସରରେ ରହିଛି ବୋଲି କହିଛନ୍ତି। ତିନି ଜଣ କର୍ମଚାରୀ ନିଲମ୍ବିତ ହେବା ସହ ହାତୀ ଶିକାରରେ ସଂପୃକ୍ତ ଥିବା ୩ ଜଣଙ୍କୁ ଜେଲ ପଠା ହୋଇଛି। ଅନ୍ୟ ଜିଲ୍ଲାରୁ ଶିକାରୀ ଆସିଥିବା ସୂଚନା ଆମ ପାଖରେ ରହିଛି। ତଦନ୍ତ ଶେଷ ହେବା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର