ହାତୀ ବଂଶକୁ ବି ଲୋପ କରିଦେବେ, ଆଉ କେତେ ମଲେ ସରକାର ଚେତିବେ

ତୀର ମାରି ହାତୀକୁ ହତ୍ୟା, ଜଙ୍ଗଲରୁ ମିଳିଲା ହାତୀ ଓ ଛୁଆର ଗଳିତ ଶବ

କେନ୍ଦୁଝର/‌ତେଲକୋଇ/ରାଇସୁଆଁ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍‌ କଳାପାଟ ସଂରକ୍ଷିତ ଜଙ୍ଗଲର କୁଳିଆପାଳ ନିକଟରୁ ଆଜି ମା’ ଓ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ମା’ ହାତୀ ପେଟରୁ ଏକ ତୀର ବାହାରିଛି। ତୀର ମାରି ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। କିଛିଦିନ ହେବ ଚମ୍ପୁଆ ରେଞ୍ଜ୍‌ରେ ଗୋଟିଏ ହାତୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ତେଲକୋଇ ରେଞ୍ଜ୍‌ରେ ପୁଣି ଦୁଇଟି ହାତୀଙ୍କ ମୃତଦେହ ମିଳିବା ଘଟଣା ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ଆନ୍ଦୋଳିତ କଲାଣି। ଯେଉଁଭଳି ହାରରେ ରାଜ୍ୟର କୋଣ ଅନୁକୋଣରେ ଗୋଟିଏ ପରେ ଗୋଟିଏ ହାତୀକୁ ହତ୍ୟା କରାଯାଉଛି, ତାହାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଶଙ୍କା ପ୍ରକାଶ ପାଇଲେଣି, ସମ୍ଭବତଃ ବାଘ ଭଳି ଓଡ଼ିଶାରେ ହାତୀ ବଂଶ ମଧ୍ୟ କେଇଟା ବର୍ଷରେ ଲୋପ ପାଇଯିବ।

ତା ଠାରୁ ଆହୁରି ସାଂଘାତିକ କଥା ହେଲା, ହାତୀ ମୃତ୍ୟୁ ଘଟଣାରେ ନିଜେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ତନାଘନା କରୁଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ବାରମ୍ବାର ସତ୍ୟପାଠ ମାଗୁଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜଣେ ପଶୁପ୍ରେମୀ। ହେଲେ ଜଙ୍ଗଲ ବିଭାଗ ଏତେ ବେଫିକର ହୋଇପଡ଼ିଛି, ଏହି ଘଟଣାରେ ସରକାରୀସ୍ତରରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହା ଏଯାଏ ପରିଲକ୍ଷିତ ହେଉନାହିଁ। ନିଜେ ମୁଖ୍ୟ ସଚିବ କିଛି ଦିନ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଦାୟିତ୍ବରେ ଥିଲେ।

The Indian Express

ହେଲେ ସେ ମଧ୍ୟ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ବ ​ଉପଲବ୍ଧି କରି ଯେଭଳି ତତ୍ପରତା ଦେଖାଇବା କଥା ତାହା ଜଣାପଡ଼ୁନାହିଁ। ଏବେ ପ୍ରଶ୍ନ ଉଠୁଛି, ହାତୀ ହତ୍ୟା ପାଇଁ କେହି ଦାୟୀ ହେବେନି? ଡିଏଫ୍‌ଓମାନେ ତେବେ କାହା ସୁରକ୍ଷା ପାଇଁ ଅଛନ୍ତି? ଯଦି ଉଭୟ ଜଙ୍ଗଲ ଓ ଜଙ୍ଗଲର ପଶୁ ଅସୁରକ୍ଷିତ ହୋଇପଡ଼ିବେ, ତେବେ ଏହି ବିଭାଗ ଓ ଏହି ବିଭାଗର ଅଧିକାରୀମାନଙ୍କର କି ଆବଶ୍ୟକତା ରହିଛି? ସର୍ବୋପରି ଏହି ଡିଏଫ୍‌ଓମାନେ ଯଦି ଜଙ୍ଗଲରେ ପାଟ୍ରୋଲିଂ କରୁଥାନ୍ତେ, ତେବେ ଶିକାରୀ ଏଭଳି ବେଧଡ଼କ ଭାବେ ହାତୀ ହତ୍ୟା କରିପାରନ୍ତେ କି? ହେଲେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହି ଗୋଟିଏ ଘଟଣାକୁ ଉଦାହରଣ ଭାବେ ନେଲେ ଜଣାପଡ଼ିଯାଉଛି ଯେ ବନ ବିଭାଗର ଅଧିକାରୀମାନେ ଶିକାରୀଙ୍କୁ ତ ଜବତ କରିପାରୁନାହାନ୍ତି, ହାତୀ ମରିଗଲେ ବି ତତ୍କାଳ ଜାଣିପାରୁନାହାନ୍ତି। ହାତୀର ଗଳିତ ଶବ ଉଦ୍ଧାର ଘଟଣାରୁ ଏହା ସ୍ପଷ୍ଟ। ଆଉ କେତେ ହାତୀ ମଲେ, ବିଭାଗ ଚେତିବ? ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବୈଠକ ଡାକି ହାତୀ ମୃତ୍ୟୁ ନେଇ ତାଗିଦ କରିବେ?

 

ଖବର ଅନୁସାରେ, କିଛିଦିନ ଧରି କୁଳିଆପାଳ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ମାଈ ଏବଂ ଛୁଆହାତୀର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତେଲକୋଇ ରେଞ୍ଜ୍‌ର ଶିବାଜୀ ମୋହନ ରାଓ, କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇହାତୀଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ମାଈ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ବେଳେ ପେଟରୁ ଏକ ତୀର ବାହାରିଛି। ହାତୀକୁ କେହି ତୀର ମାରି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା, ମାଈହାତୀଟି ପୂର୍ବରୁ ହାତୀପଲରେ ଥିଲା। ହାତୀପଲରେ ଥିବା ଦନ୍ତାକୁ ଶିକାର କରିବାପାଇଁ କେହି ଉଦ୍ୟମ କରିଥିଲା। ମରାଯାଇଥିବା ତୀର ଦନ୍ତା ଦେହରେ ନବାଜି ମାଈହାତୀଠାରେ ବାଜିଛି। ଫଳରେ ତା’ର ମୃତ୍ୟୁ ଘଟିଛି। ଛୁଆହାତୀଟି ଖାଦ୍ୟ ନ ପାଇ ପ୍ରାଣ ହରାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହାତୀ ଦେହରେ ତୀର ବାଜିବା ପରେ ତତ୍କାଳ ତାର ମୃତ୍ୟୁ ହୋଇ ନଥିବ। କିଛିଦିନ ସେ ଯନ୍ତ୍ରଣାରେ ଛଟପଟ ହେବା ପରେ ପ୍ରାଣ ହରାଇଥିବ। ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବନ ବିଭାଗ କିପରି ଏ ସମ୍ପର୍କରେ ଜାଣିପାରିଲା ନାହିଁ, ତାକୁ ନେଇ ଆଶଙ୍କା ପ୍ରକାଶ ପାଉଛି। ହାତୀପଲଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଟ୍ରାକିଂ ବ୍ୟବସ୍ଥା ରହିଛି। ଏହି ହାତୀପଲ କୁଆଡ଼େ ଗଲେ, କେଉଁଠି ରହିଲେ ସେନେଇ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ସୂଚନା ଦିଆଯାଉଛି। ମାତ୍ର, ଏଠାରେ ହାତୀ ମରିବା ପରେ ବି କେହି ଜାଣି ନପାରିବା ଟ୍ରାକିଂ ବ୍ୟବସ୍ଥା ବିଫଳ ବୋଲି ପ୍ରମାଣିତ ହେଉଛି।

ଏ ସମ୍ପର୍କରେ ଡିଏଫ୍‌ଓ ଏଚଡି ଧନରାଜ କହିଛନ୍ତି, କିଏ ଏବଂ କେଉଁ କାରଣ ପାଇଁ ହାତୀକୁ ହତ୍ୟା କଲା ତାହାର ତଦନ୍ତ ଚାଲିଛି। ସେହିପରି ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ତେଲକୋଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅଭିନ୍ନ ପଣ୍ଡା ମଧ୍ୟ ସମାନ କଥା କହିଛନ୍ତି। ହାତୀ ପେଟରୁ ୫ ଇଞ୍ଚର ଏକ ଲୁହା ତୀର ବାହାରିଛି। ହାତୀ ଦୁଇଟି ସପ୍ତାହେ ତଳୁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ବୋଲି ଡା. ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର