ଫସର ଫାଟିଲା ଘଉଡ଼ା ଅଭିଯାନ: ସ୍କ୍ବାଡ୍‌ କର୍ମଚାରୀଙ୍କୁ କଚାଡ଼ି ମାରିଲା ହାତୀ

ବଣାଇଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ସାରକୁଣ୍ଡା ଫରେଷ୍ଟ ସେକ୍ସନ୍‌ର କେନସିଲା ଠାରେ ହାତୀ ଘଉଡ଼ାଇବାକୁ ଯାଇଥିବା ଜଣେ ସ୍କ୍ବାଡ୍‌ କର୍ମଚାରୀଙ୍କୁ ହାତୀ ପାଲଟା ଆକ୍ରମଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଗୁରୁବାର ସନ୍ଧ୍ୟାରେ ସମ୍ପୃକ୍ତ କେନସିଲା, ବାଟଗାଁ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ନେଇ ଲୋକେ ବରସୁଆଁ ରେଞ୍ଜ୍‌ ଅଫିସରଙ୍କୁ ଅଭିଯୋଗ କରିଥିଲେ। ଏହାକୁ ଗୁରୁତ୍ୱ ଦେଇ ବିଭାଗରେ ନିୟୋଜିତ ଏଲିଫ୍ୟାଣ୍ଟ୍‌ ସ୍କ୍ବାଡ୍‌ର କର୍ମଚାରୀଙ୍କୁ ପଠା ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀମାନେ ହାତୀପଲଙ୍କୁ ଘଉଡ଼ାଇବା ଉଦ୍ୟମ କରିଥିଲେ। ହେଲେ ଏଥିରେ ଉତ୍ୟକ୍ତ ହୋଇ ଏକ ହାତୀ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚନ୍ଦ୍ର ଶେଖର ମହାନ୍ତ(୨୪)ଙ୍କର ମୃତ୍ୟୁ ହୋଇଥିଲା। ଏଭଳି ପାଲଟା ଆକ୍ରମଣର ସମ୍ମୁଖୀନ ହେବା ପରେ ଅନ୍ୟ କର୍ମଚାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଟେନ୍‌ସା ପୁଲିସ, ବରସୁଆଁ ରେଞ୍ଜ ଅଫିସର, ବଣାଇ ସହକାରୀ ବନ ସଂରକ୍ଷକ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବ ଜବତ କରିଛି ଓ ଆସନ୍ତା କାଲି ବ୍ୟବଚ୍ଛେଦ ହେବ ବୋଲି ସୂଚନା ଦେଇଛନ୍ତି। ସେଇପରି ବନବିଭାଗ ପକ୍ଷରୁ ମୃତ କର୍ମଚାରୀଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ଘଟଣା ପ୍ରଚାରିତ ହେବାପରେ ବନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର