ଢେଙ୍କାନାଳ : ହାତୀ ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହୁଛି। ସରକାର ଯେତେ ଯୋଜନା କଲେ ମଧ୍ୟ ହାତୀ ମଣିଷ ସଂଘର୍ଷକୁ ରୋକାଯାଇପାରୁ ନାହିଁ। ଯୋଜନାଗୁଡ଼ିକର ମୂଳଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଉଥିବାରୁ ଆଶାତୀତ ସଫଳତା ମିଳିପାରୁ ନାହିଁ। ଜଙ୍ଗଲ ମାଫିଆଙ୍କ ରାଜ୍ ଦିନକୁ ଦିନ ବଢି ଚାଲିଥିବାରୁ ଜଙ୍ଗଲ ସବୁ ଉଜୁଡ଼ିବାରେ ଲାଗିଛି। ଏଥିସହିତ କେନାଲ ଖୋଳା, ବିଦ୍ୟୁତ୍ ଲାଇନ୍ ବିଛା, ରାସ୍ତା, ଗୃହ ନିର୍ମାଣ, ଜଙ୍ଗଲଜମି ଦଖଲ ଏବଂ ଶିଳ୍ପାୟନ ନାଁରେ ବଡ଼ବଡ଼ ଗଛକାଟି ଜଙ୍ଗଲ ସଫା କରାଯାଉଛି। ଜଙ୍ଗଲ ଧୀରେଧୀରେ ସଙ୍କୁଚିତ ହେଉଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ। ଏପରି ଅନେକ କାରଣରୁ ଖାଇବାକୁ ନପାଇ ହାତୀ ଜନବସତି ମୁହାଁହୋଇ ଫସଲଠାରୁ ଆରମ୍ଭ କରି ଧନଜୀବନ ନଷ୍ଟ କରୁଛନ୍ତି। ଯେଉଁଥିପାଇଁ ହାତୀମାନଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି। ପେଟପାଇଁ ସଂଘର୍ଷ କରୁଥିବାରୁ କେତେକ କ୍ଷେତ୍ରରେ ନିଜେ ମରିବା ସହ ମଣିଷକୁ ମାରିବାକୁ ପଛାଉ ନାହିଁ। ଗତ ୬ ବର୍ଷ ମଧ୍ୟରେ ୭୫ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୯ ଜଣ ମଣିଷ ମଧ୍ୟ ମରିଛନ୍ତି। ତେବେ ଏହାକୁ ରେକିବା ଲାଗି କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ହାତୀ ମଣିଷ ଲଢେଇର ଅନ୍ତ କେବେ ଘଟିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ସଂପ୍ରତି ୨୭୦ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିରୁ କେବଳ ହିନ୍ଦୋଳ ବନାଞ୍ଚଳ ସର୍ବାଧିକ ୨୦୦ ହାତୀ ରହୁଛନ୍ତି। ଜିଲ୍ଲାରେ ହାତୀ ସଂଖ୍ୟା ଅଧିକ ରହୁଥିବା ବେଳେ ହାତୀ ମୃତ୍ୟୁ ମଧ୍ୟ ସେହି ତୁଳନାରେ ବଢି ଚାଲିଛି। ହାତୀ ହାତୀ ମଧ୍ୟରେ ଲଢେଇ, ବିଦ୍ୟୁତ୍ ଆଘାତ, ସଡ଼କ ଦୁର୍ଘଟଣା, ଟ୍ରେନ୍ ଦୁର୍ଘଟଣାରେ ନିୟମିତ ହାତୀଙ୍କ ମୃତ୍ୟୁ ହେଉଛି। ସେହି ଅନୁଯାୟୀ, ନାଳରେ ଖସିପଡି, ଶିକାରୀ ଗୁଳିରେ, ବିଭିନ୍ନ ରୋଗରେ ମଧ୍ୟ ହାତୀଙ୍କ ପ୍ରାଣ ଯାଉଛି। ଅନ୍ୟପକ୍ଷରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଥିବା ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଛି। ସୂଚନା ଅନୁଯାୟୀ ୨୦୧୭–୧୮ ବର୍ଷରେ ୧୯ଟି, ୨୦୧୮-୧୯ ବର୍ଷରେ ୧୬ଟି, ୨୦୧୯-୨୦ ବର୍ଷରେ ୧୬ ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୦-୨୧ରେ ୬ଟି, ୨୦୨୧-୨୨ରେ ୧୩ଟି ହାତୀ ଏବଂ ୨୦୨୨–୨୩ର ଜୁଲାଇ ମାସ ୬ ତାରିଖ ସୁଧା ୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ଗତ ୨୦୧୭-୧୮ ବର୍ଷରେ ହାତୀ ଆକ୍ରମଣରେ ୨୧ଜଣ ମଣିଷଙ୍କର ମୃତ୍ୟୁ ହୋଇଛି। ୨୦୧୮-୧୯ ବର୍ଷରେ ୩୧ ଜଣ, ୨୦୧୯–୨୦ ବର୍ଷରେ ୨୨ଜଣ, ୨୦୨୦–୨୧ ବର୍ଷରେ ୩୫ ଜଣ, ୨୦୨୧–୨୨ ବର୍ଷରେ ୨୦ ଜଣ ଏବଂ ୨୦୨୨–୨୩ରେ ୧୦ ଜଣଙ୍କ ଜୀବନ ଯାଇଛି।
ଜନବସତି ସଂପ୍ରସାରଣ, କର୍ମସଂସ୍ଥାନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନ ନାଁରେ ଜଙ୍ଗଲସବୁ ନଷ୍ଟ ହେବାରେ ଲାଗିଛି। ବନବିଭାଗ, ପୁଲିସ୍, ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ହୋଇଛି। ରାସ୍ତାଘାଟ ନିର୍ମାଣ, ବେଆଇନ୍ ଖଣିଖାଦାନ ବଢିବା ସହ ବ୍ୟାପକ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନରେ ଜଙ୍ଗଲ ଉଜୁଡ଼ି ଚାଲିଛି। ଜଙ୍ଗଲରୁ ଖାଦ୍ୟ ଓ ପାଣି ନପାଇ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ହାତୀ ଚଲାପଥ ଅବରୋଧ ହୋଇଯାଉଥିବାରୁ ବାଟ ଲାଗି ଜାତୀୟ ରାଜପଥ, ଟ୍ରେନ୍ ଲାଇନ୍ ପାର୍ ହେବା ଏବଂ ବିଦ୍ୟୁତ୍ ତାର ଲାଗି ହାତୀମାନେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ମୂଲ୍ୟବାନ୍ ଦାନ୍ତ ହାତୀ ମୃତ୍ୟୁର ଅନ୍ୟ ଏକ କାରଣ ପାଲଟୁଛି। ହାତୀମାନେ ଜନବସତି ମୁହାଁ ନହେବା ଲାଗି ବ୍ୟାପକ ବନୀକରଣ, ଜଙ୍ଗଲରେ ପୋଖରୀ ଖନନ ଏବଂ ଟ୍ରେଞ୍ଚ୍ ଖୋଳା, ସୋଲାର ଫେନ୍ସି, ହାତୀ ସ୍କ୍ବାଡ୍, ଐରାବତ୍ ବସ୍, ଗଜବନ୍ଧୁ, ମହୁମାଛି ବାକ୍ସ ଲଗାଇବା, ଜଙ୍ଗଲରେ ହାତୀ ଖାଉଥିବା ଫଳଗଛ ରୋପଣ ଆଦି ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନା ବାଟବଣା ହୋଇଯାଉଥିବାରୁ ହାତୀମାନଙ୍କୁ ଜଙ୍ଗଲରେ ଅଟକ ରଖାଯାଇ ପାରୁନାହିଁ। ଯେଉଁ କାରଣରୁ ଜନବସତି ମୁହାଁ ହେଉଥିବା ହାତୀ ଆକ୍ରମଣରେ ମଣିଷଙ୍କ ପ୍ରାଣ ଯାଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ କଡାକଡି ଆଇନ୍ ଲାଗୁକରିବା, ଆନ୍ତରିକତା ଓ ମାନସିକତାରେ ପରିବର୍ତନ ନ ଆସଲେ ହାତୀ ମଣିଷ ଲଢେଇକୁ ରୋକାଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।