ହାତୀ-ମଣିଷ ଲଢ଼େଇରେ ଲାଗିବ ଅଙ୍କୁଶ : ଆଇଆଇଟି ପକ୍ଷରୁ ନୂଆ ଯୋଜନା

ଢେଙ୍କାନାଳ : ହାତୀ-ମଣିଷ ଲଢ଼େଇ। ଢେଙ୍କାନାଳ ବନଖଣ୍ଡରେ ଏବେ ଏହା ଏକ ବିଷମ ସମସ୍ୟା ଭାବେ ଉଭ‌ା ହୋଇଥିବାବେଳେ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଆରମ୍ଭ ହୋଇଛି ନୂଆ ପ୍ଲାନ୍‌। ଭୁବନେଶ୍ବରସ୍ଥିତ ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲୋଜି) ଉନ୍ନତ ଜ୍ଞାନକୌଶଳ ନେଇ ଏକ ନୂଆ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଛି।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ସିଗ୍‌ନାଲ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ସିଗ୍‌ନାଲ ତଥ୍ୟ ତୁରନ୍ତ ହାତୀ ଉପଦ୍ରବ ଗାଁକୁ ପଠାଇ ଲୋକଙ୍କ ପାଇଁ ଆଗୁଆ ସତର୍କ ଘଣ୍ଟି ବଜାଇବ ତା ଉପରେ ଆଇଆଇଟି କାମ ଆରମ୍ଭ କରିଛି। କେବଳ ସେତିକି ନୁହେଁ, ଏହି କାମରେ ଡ୍ରୋନ୍‌ କ୍ୟାମେରାକୁ ବି ଉପଯୋଗ କରାଯିବ। ଡ୍ରୋନ୍‌ କ୍ୟାମେରା ଉଡ଼ାଇ ହାତୀର ଗତିବିଧି ନେଇ ତଥ୍ୟ ରଖିବାକୁ ଯୋଜନା ରହିଛି।

ଏହି ପ୍ରକଳ୍ପ ବଡ଼ ବଡ଼ ଟାୱାରକୁ ନେଇ କରାଯିବ। ହାତୀ ଉପଦ୍ରବ ଇଲାକାରେ ଏହି ସବୁ ଟାୱାର ଖଞ୍ଜାଯିବ। ଜିଲ୍ଲା ମୁଖ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଉପଖଣ୍ଡ ମୁଖ୍ୟାଳୟରେ ଏହାର କଣ୍ଟ୍ରୋଲ୍ ରୁମ୍‌ ରହିବ। ହାତୀପଲ ଜନବସତିମୁହାଁ ହେବାର ଅବ୍ୟବହିତ ପୂର୍ବରୁ ଟାୱାର ସିଗ୍‌ନାଲ ଜରିଆରେ କଣ୍ଟ୍ରୋଲ୍ ରୁମ୍‌କୁ ଜଣାଇବ। ଟାୱାର ମାଧ୍ୟମରେ ଆଗୁଆ ସର୍ତକ ଘଣ୍ଟି ବାଜି ଜନସାଧାରଣଙ୍କୁ ସଚେତନ କରାଇବ। ସେହିପରି ହାତୀପଲଙ୍କ ଗତବିଧି ଜାଣିବା ନିମନ୍ତେ ଡ୍ରୋନ୍ କ୍ୟାମେରା ମଧ୍ୟ ଉଡ଼ାଯିବାର ବ୍ୟବସ୍ଥା କରାଯାଉଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଏହାସହିତ ଏଏନ୍‌ସିଏଫ୍ (ଏସିଆନ୍ ନେଚର କଞ୍ଜରଭେସନ୍ ଫାଉଣ୍ଡେସନ ଆଣ୍ଡ ଏଲିଫ୍ୟାଣ୍ଟ କଞ୍ଜରଭେସନ) ପକ୍ଷରୁ ହାତୀ ସୁରକ୍ଷା ପାଇଁ ଗବେଷଣା କରାଯାଉଥିବା ବେଳେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ ପକ୍ଷରୁ ମଧ୍ୟ ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ରିସର୍ଚ୍ଚ ଆରମ୍ଭ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର