ତେଲକୋଇ : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜରେ ହାତୀ-ମଣିଷ ଲଢ଼େଇରେ ଗତ ୧୫ ମାସ ମଧ୍ୟରେ ୬ ଜଣଙ୍କ ଜୀବନ ଯାଇଛି। ବହୁ ଘରଦ୍ବାର ନଷ୍ଟ ହୋଇଛି। ହାତୀ ଉପଦ୍ରବ ଫଳରେ ବ୍ୟାପକ ଫସଲହାନି ବି ହୋଇଛି। ମାତ୍ର ବନ ବିଭାଗ ପକ୍ଷରୁ ଯେଉଁ ସହାୟତା ରାଶି ଯୋଗାଇ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହେଉଛି। ଅନେକ ସହାୟତା ପାଉ ନଥିବା ମଧ୍ୟ ଅଭିଯୋଗ ହେଉଛି।
ଯାହା ଜଣାଯାଇଛି ଦୁଇତିନିଟି ହାତୀ ଏହି ଅଞ୍ଚଳରେ ବର୍ଷସାରା ଡେରା ପକାଇବା ସହିତ ଉତ୍ପାତ ଜାରି ରଖିଛନ୍ତି। ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ଓ ତେଲକୋଇ ଫରେଷ୍ଟ ସେକ୍ସନରେ ଏମାନେ ନାନା କ୍ଷୟକ୍ଷତି କରିବା ସହିତ ମଣିଷ ମାରୁଛନ୍ତି। ଖଜୁରିଆ, କୁଲାଡେରା, ବନବିହାରୀପୁର, ଦୁଲ୍ଲଭପୁର, ଆକୁଳ, ବନ୍ଧନଝରୀ, ବାଲେଶ୍ଵର, ଭୀମକାଣ୍ଡ, ଗୋଳାଗାଡିଆ, ଉଦୟଗିରି, ଦେଉଳଡିହା, ମଧ୍ୟପୁର, ନୂଆଗଡ଼, ଦୋବଲାପାଳ, ଚନ୍ଦ୍ରଶେଖରପୁର, ଜଗମୋହନପୁର, ଗୋଳାବନ୍ଧ, ଟୁଙ୍ଗୁରୁବାହାଳ, ଶିରିଆବାହାଳ, ତେଲକୋଇ, ଖୁଣ୍ଟାପଡା, କନ୍ତଲେଇ, ପଡ଼ାଙ୍ଗ, ମଲଣ୍ଡା, କୁଣ୍ଢେଇହତା, ନମକାନୀ, ଟାଙ୍ଗିରି ପ୍ରଭୃତି ଗ୍ରାମରେ ଉତ୍ପାତ କରୁଛନ୍ତି।
୧୦ ଦିନ ମଧ୍ୟରେ ଦନ୍ତାଟି ନିର୍ଦ୍ଧିଷ୍ଟ ସ୍ଥାନରେ ୨ ଜଣଙ୍କୁ ଗୋଡ଼ାଇ ମାରିଛି। ତଥ୍ୟ ଅନୁଯାୟୀ, ୧୫ ମାସ ମଧ୍ୟରେ ୬ ଜଣଙ୍କୁ ମାରିସାରିଲାଣି ହାତୀ। ୨୦୨୧ ଫେବ୍ରୁଆରି ୧୭ ତାରିଖ ଭୋର ୩ଟା ବେଳେ ଜଗମୋହନପୁର ଗାଁରେ ପଶି ଜାନକୀ ପଧାନ(୪୫)ଙ୍କୁ ଦଳି ଦେବା ସହିତ ମେ ମାସ ୧୭ ତାରିଖ ସକାଳ ୬ଟା ବେଳେ ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରିଆବାହାଳ ଗାଁର ଗୌରଚନ୍ଦ୍ର ନାୟକ(୫୨)ଙ୍କୁ ତାଙ୍କ ଆମ୍ବ ବଗିଚାରେ କଚାଡ଼ି ମାରି ଦେଇଥିଲା। ସେହିଭଳି ସେପ୍ଟେମ୍ବର ମାସ ୧୧ ତାରିଖ ସକାଳ ୫ଟା ବେଳେ ଦୋବଲାପାଳ ପଞ୍ଚାୟତ ବାଂଶପାଳ ଗ୍ରାମ ଜୁଆଙ୍ଗ ସାହିର ମକୁରୁ ନାଏକ(୬୦) ଓ ନଭେମ୍ବର ମାସ ୧୨ ତାରିଖ ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ରାଣୀବେଡ଼ା ନୂଆସାହିର ବିନୋଦ ମହାନ୍ତଙ୍କ ୭ ବର୍ଷର ଶିଶୁପୁତ୍ର ନାରାୟଣ ମହାନ୍ତଙ୍କ ହାତୀ ଆକ୍ରମଣ କରି ଘର ଭାଙ୍ଗିବା ଦ୍ବାରା କାନ୍ଥ ଭୁଶୁଡ଼ି ମୃତ୍ୟୁ ଘଟିଥିଲା।
ଚଳିତ ୨୦୨୨ ମେ ୮ ତାରିଖ ଓ ୧୮ ତାରିଖରେ ଆକୁଳ ପଞ୍ଚାୟତ ଅନ୍ତର୍ଗତ ବନବିହାରୀପୁର ଗ୍ରାମର ନିର୍ଦ୍ଧିଷ୍ଟ ସ୍ଥାନରେ ଦନ୍ତା ୨ ଜଣଙ୍କ ଜୀବନ ନେଇଛି। ୮ ତାରିଖ କୁଲାଡେରା ଗ୍ରାମର ଜହ୍ନି ଦେହୁରୀ(୭୦) ଓ ୧୮ ତାରିଖ ନିଧିଆ ନାଏକ(୭୫)ଙ୍କୁ ହାତୀ କଚାଡି ମାରି ଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ତେଲକୋଇ ରେଞ୍ଜରେ ଏବେ ୩ଟି ହାତୀ ରହିଛନ୍ତି। ସେଥି ମଧ୍ୟରୁ ୨ଟି ଦନ୍ତା ଏବଂ ଗୋଟିଏ ମାଈ ହାତୀ। ଗୋଟିଏ ମାଈ ଓ ଗୋଟିଏ ଦନ୍ତା ଆକୁଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧନଝରୀ ଜଙ୍ଗଲରେ ରହୁଥିବା ବେଳେ ଅନ୍ୟ ଏକ ଦନ୍ତା ଦେଉଳଡିହାରେ ରହୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଖରିଫ ଋତୁରେ ଧାନ ଚାଷ ଆରମ୍ଭ ହେଲା ମାତ୍ରେ ଜୁଲାଇ ଶେଷ ଭାଗରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହାତୀ ପଲଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ମାର୍ଚ୍ଚ ପରେ ବାହାରୁ ଆସିଥିବା ହାତୀପଲ ଚାଲି ଯାଉଥିବା ବେଳେ ଏହି ୩ଟି ଦୀର୍ଘ ଦିନ ହେଲାଣି ସ୍ଥାୟୀ ଭାବେ ରହି ଉତ୍ପାତ ଜାରି ରଖିଛନ୍ତି। ଖାଦ୍ୟ ଅନ୍ୱେଷଣରେ ସନ୍ଧ୍ୟା ନ ହେଉଣୁ ଗାଁ ଗଣ୍ଡାରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି। ଫଳରେ ଲୋକେ ହାତୀକୁ ନେଇ ଭୟରେ ରହୁଛନ୍ତି।