ପୁରୀ: ଚଳିତ ବର୍ଷ ଶ୍ରୀମନ୍ଦିରରେ ହାତୀ ଟାଣିବେ କି ରଥ ? ପ୍ରଥମେ ହାଇକୋର୍ଟଙ୍କ ପରାମର୍ଶ ଆଉ ଏବେ ଶୁଦ୍ଧ ସୁଆର ନିଯୋଗ ହାତୀ ଜରିଆରେ ରଥ ଟାଣିବା ପାଇଁ ପ୍ରସ୍ତାବ ଦେବା ପରେ ଏପରି ସମ୍ଭାବନା ଦେଖା ଦେଇଛି । ଆଜି ଶ୍ରୀମନ୍ଦିର ଶୁଦ୍ଧ ସୁଆର ନିଯୋଗ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ହାତୀ ଦ୍ୱାରା ରଥ ଟାଣିବା ପାଇଁ ପ୍ରସ୍ତାବ ଦେଇଛି । ଏଥିସହ ହାଇକୋର୍ଟ ମେସିନରେ ରଥ ଟାଣିବା ପାଇଁ ଦେଇଥିବା ଅନ୍ୟ ପ୍ରସ୍ତାବକୁ ବିରୋଧ କରିଛନ୍ତି । ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦିଆଯାଇଛି । ସେହି ତାଲିକାରୁ ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ ବୟସର ସେବାୟତଙ୍କୁ ବାଦ୍ ଦିଆଯାଇଛି ।
କରୋନା କଟକଣା ଯୋଗୁଁ ଏବେ ପୁରୀ ରଥଯାତ୍ରା ଅନିଶ୍ଚିତତାରେ ରହିଛି । ହାଇକୋର୍ଟ ବହୁ ସଂଖ୍ୟକ ଲୋକ ବଦଳରେ ହାତୀ କିମ୍ବା ମେସିନ ଜରିଆରେ ରଥ ଟାଣିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ରଥଯାତ୍ରା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମେସିନ କିମ୍ବା ହାତୀ ଲଗାଇ ରଥ ଟାଣିପାର ବୋଲି ମତ ଦେଇଛନ୍ତି ।
ରଥଯାତ୍ରା ଆୟୋଜନ ବେଳେ ଗୁରୁତ୍ୱପୂର୍ଣ୍ଣ ହେଉଛି ରଥଟଣା । ବହୁ ସଂଖ୍ୟକ ବ୍ୟକ୍ତିଙ୍କୁ ରଥଟଣାରେ ନିୟୋଜନ କରିବା ବଦଳରେ ଏଥିରେ ମେସିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ଆୟୋଜନ ସମ୍ପର୍କରେ ସରକାର, ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ । ସରକାରଙ୍କ କୋଭିଡ୍-୧୯ ନିୟମାବଳୀ ପାଳନ କରିବେ ଏବଂ ରଥଟଣା ପ୍ରସଙ୍ଗକୁ ବି ଧ୍ୟାନଦେବେ ବୋଲି ରଥଯାତ୍ରା ସମ୍ପର୍କିତ ଆବେଦନର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।