ଦେଓଗାଁ : ଦେଓଗାଁ ବନ ବିଭାଗ ରେଞ୍ଜ ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏପରିକି ହାତୀ ଭୟରେ କିଛି ଚାଷୀ ଅମଳ ସମୟ ପୂର୍ବରୁ କଞ୍ଚା ଧାନକୁ କାଟି ଦେଉଥିବା ଦେଖିବାକୁ ମିଳୁଛି। ରାଏପାଲି ଗାଁର ଚାଷୀ ଦୀନବନ୍ଧୁ କରନ, ଋଷି କରନ, ହରେକୃଷ୍ଣ ମାଝୀ, ଦୁର୍ଗା ମାଝୀ, ସହଦେବ ମଟାରୀ, ସଂହୁରୁ ଭଣ୍ଡା, ବିଜୟ ମିଶ୍ର, ସୁରେଶ ମିଶ୍ର ପ୍ରମୁଖ କହିଛନ୍ତି ଯେ, ଗତ କିଛିଦନ ହେଲା ହାତୀମାନେ ଉପଦ୍ରବ କରୁଛନ୍ତି। ପାଚିଲା ଧାନକୁ ନଷ୍ଟ କରି ଦେଉଛନ୍ତି। ସେମାନେ ଭୟରେ ଜଗିବାକୁ ଯାଇ ପାରୁ ନାହାନ୍ତି। ଫଳରେ ପୂର୍ଣ୍ଣ ଅମଳକ୍ଷମ ହେବା ପୂର୍ବରୁ ଧାନକୁ ସୁରକ୍ଷିତ ଭାବେ କାଟି ଆଣୁଛନ୍ତି।
ହାତୀ ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ବାରମ୍ବାର ବନ ବିଭାଗ କର୍ମଚାରୀମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରୁଛନ୍ତି। ହେଲେ ଠିକ୍ ଭାବେ ସହଯୋଗ ମିଳିପାରୁ ନାହିଁ। କ୍ଷତିପୂରଣ ପାଇଁ ଦାବି କରୁଥିଲେ ମଧ୍ୟ ସମୁଦ୍ରକୁ ଶଙ୍ଖେ ପରି ସହାୟତା ମିଳୁଛି। ଅନ୍ୟପକ୍ଷରେ ହାତୀକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅଞ୍ଚଳରେ ବିଦ୍ୟୁତ୍କାଟ୍ କରାଯାଉଛି। ଏହା ଦ୍ବାରା କିଛି ଗାଁ ଅନ୍ଧାରରେ ରହୁଛି। ଅନ୍ୟପକ୍ଷରେ ମାଟ୍ରିକ ପରୀକ୍ଷାରେ ଚାଷୀ ପ୍ରଭାବିତ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି।
ପ୍ରକାଶ ଥାଉକି, ୨୦ ଦିନରୁ ଅଧିକ ହେଲା ୧୪ଟି ହାତୀ ଦେଓଗାଁ ରେଞ୍ଜରେ ଉପଦ୍ରବ କରି ଚାଲିଛନ୍ତି। ହାତୀ ଘଉଡ଼ାଇବାରେ ବନ କର୍ମଚାରୀଙ୍କ ସହ ଅଞ୍ଚଳବାସୀ ମଧ୍ୟ ଅତିଷ୍ଠ ହୋଇପଡ଼ିଛନ୍ତି। ଠିକ୍ ଭାବେ ସହଯୋଗ କରୁ ନଥିବା ଅଭିଯୋଗ କରି ଲୋକମାନେ ବନ ବିଭାଗ ଉପରେ ରାଗ ମଧ୍ୟ ରଖୁଛନ୍ତି। ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/deogoan.jpg)