ସିଙ୍ଗଡ଼ା: ଝାଡ଼ଖଣ୍ଡୀ ହାତୀପଲ କରଞ୍ଜିଆ ଓ ଦୁଧିଆଣି ବନାଞ୍ଚଳ ଅନ୍ତର୍ଗତ ୭୦ରୁ ଊର୍ଦ୍ଧ୍ବ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବନବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ବନ କର୍ମଚାରୀଙ୍କୁ ତିନିଥର ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଲାଣି। ହାତୀପଲଙ୍କୁ ଘଉଡ଼ାଇବା ଲାଗି ଦିନରାତି ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ। ବରଂ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଥିବାବେଳେ ସେହି ଅନୁସାରେ କ୍ଷୟକ୍ଷତି ମଧ୍ୟ ବଢ଼ିଚାଲିଛି।

Advertisment

ଗୁରୁବାର ସନ୍ଧ୍ୟାରେ ଝାଡ଼ବେଡ଼ା ଅଞ୍ଚଳରେ ୨୧ଟି ହାତୀ ଓ ନାଖୁଡ଼ା ନିକଟରେ ୩ଟି ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଗଲା ସପ୍ତାହେ ଧରି କଦମବେଡ଼ା, ରସମତଳା, ମତ୍ତା, ଡୁମୁରିଆ, ବିଉଁରିଆ, ତାଟୋ, ଦେଓଗାଁ ପ୍ରଭୃତି ସ୍ଥାନରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିପରି କରଞ୍ଜିଆ, ରରୁଆଁ, ଶୁକୃଳି ଓ ଯଶିପୁର ବ୍ଲକ୍‌ର ୧୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ହାତୀପଲ ପଶି ଉପଦ୍ରବ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାନଗଲେ ବନ କର୍ମଚାରୀ ଆଗକୁ ଜନଆକ୍ରୋଶର ଶିକାର ହେବା ସହ ବଡ଼ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।