ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବହୁଦିନ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ବ୍ଲକ୍‌ର ମୂଷାନାଳ ସେକ୍ସନର ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ସାରଗୁଡ଼ା ଗ୍ରାମରେ ବରାନଦୀ ଜଙ୍ଗଲରୁ ୨୫ରୁ ଅଧିକ ହାତୀ ଆସି ନିକଟସ୍ଥ ସାରଗୁଡ଼ା ଗାଁରେ ଉପଦ୍ରବ ଘଟାଇଛନ୍ତି। ବିଳମ୍ବିତ ରାତିରେ ୨ ଛୁଆ ହାତୀଙ୍କ ସମେତ ଏହି ହାତୀପଲ ସାରାଗୁଡ଼ା ଗ୍ରାମର ଦୁଃଶାସନ ଦୋରାଙ୍କ ୨ ଏକର ଧାନ ଚାଷ ଓ ମନୋଜ ଦୋରାଙ୍କ ୩ ଏକର ଧାନ ଚାଷକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିବା ସହ ଚାଷ ଜମି ହିଡ଼କୁ ଭାଙ୍ଗି ନଷ୍ଟ କରିଛନ୍ତି।

Advertisment

କ୍ଷତିଗ୍ରସ୍ତ ଚାଷୀଙ୍କ ଅଭିଯୋଗ ଅନୁସାରେ ସକାଳୁ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏହାପରେ ସରକାରଙ୍କ ତରଫରୁ ଥିବା  କ୍ଷୟକ୍ଷତି ସହାୟତ ମିଳିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବର୍ତମାନ ଗାଁ ପାଖ ଗୁଣ୍ଡିରାଣୀ ଡଙ୍ଗରରେ ହାତୀ ପଲ ଥିବାରୁ ଗାଁ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ବନ ବିଭାଗ ଯେତେ ଚେଷ୍ଟା କଲେ ବି ଗାଁମୁହାଁ ହେଉଥିବା ହାତୀପଲକୁ ଅଟକାଇ ପାରୁନାହାନ୍ତି। ତେଣୁ ଶୀଘ୍ର ବନ ବିଭାଗ ତଥା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଲୋକେ ଦାବି କରିଛନ୍ତି।