ଗନ୍ଧମାର୍ଦ୍ଦନ ପାଦଦେଶରେ ହାତୀ ଉପଦ୍ରବ

ମେନକାମୁଣ୍ଡା ଗାଁ’ରେ ପଶି ଭାଙ୍ଗିଲା ଘର

ପାଇକମାଳ: ପାଇକମାଳ ବ୍ଲକ ମେନକାମୁଣ୍ଡା ଗ୍ରାମ ଗନ୍ଧମାର୍ଦ୍ଦନ ପର୍ବତରେ ବର୍ଷ ସାରା ହାତୀମାନଙ୍କ ଯାତାୟାତ ଲାଗି ରହିଥାଏ। ଅନେକ ସମୟରେ ହାତୀମାନେ ଆଖପାଖ ଗାଁ’ରେ ପଶି ଉତ୍ପାତ କରିବା ସହ ବ୍ୟାପକ ଧନଜୀବନ ହାନି କରିଥାନ୍ତି। ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ସଠିକ୍‌ ଭାବେ ନଜର ରଖିପାରୁ ନଥିବାରୁ ସେମାନଙ୍କୁ ଘଉଡ଼ାଇବା ଓ ନିୟନ୍ତ୍ରଣ ସେତେଟା ସଫଳ ହେଉନାହିଁ। ଗୁରୁବାର ରାତିରେ ଏକ ହାତୀ ମେନକାମୁଣ୍ଡା ଗ୍ରାମକୁ ପଶି ଆସି ଉପଦ୍ରବ କରିବା ସହ କଦମ୍ବ ବାଗଙ୍କ ଘର ଭାଙ୍ଗି ଦେଇଛି।

ହାତୀଟି ତାଙ୍କର ୩ ବଖରା ଘର ଭାଙ୍ଗିବା ସହ ଜିନିଷପତ୍ର ସବୁ ଫିଙ୍ଗି ନଷ୍ଟ କରିବା ପରେ ରାତି ପ୍ରାୟ ୧୧ଟା ବେଳେ ପୁଣି ଗନ୍ଧମାର୍ଦ୍ଦନ ପର୍ବତକୁ ଫେରି ଯାଇଥିଲା। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କଦମ୍ବ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି ତାଙ୍କୁ କ୍ଷତିପୂରଣ ଓ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର