ଥରହର କରୁଛି ଗୋଠଛଡ଼ା ଦନ୍ତା

ଜଳେଶ୍ବର: ଗତ କିଛି ଦିନ ଧରି ବାଲେଶ୍ବର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ଏଣେତେଣେ ବୁଲୁଥିବା ବେଳେ ଦୁଇଦିନ ଧରି ସେ ଅଧିକ ଆକ୍ରମଣାତ୍ମକ ହୋଇଉଠିଛି।

ଗତକାଲି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ କିଆଖାଳି ଓ ଉଗାଳସାହି ରାସ୍ତାରେ ଏହି ଦନ୍ତା ଆମ୍ବତୁମ୍ବା ମିନାକଶା ଜଙ୍ଗଲ ରାସ୍ତାରେ ଜଳେଶ୍ବରର ଆମ୍ବତୁମ୍ବା ନିକଟରେ ପହଞ୍ଚିଥିଲା। ସେଠାରେ ସ୍ଥାନୀୟ ଲୋକେ ଟ୍ରେଞ୍ଚ୍ ଲାଇନରେ ମାଟି ପକାଇ ପୋତି ଦେଇଛନ୍ତି। ସେହି ରାସ୍ତାରେ ହାତୀଟି ଭାଲିଆପଦା ଓ ବଣକାଟି ଗାଁକୁ ପ୍ରବେଶ କରିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ହାତୀଟି ଲୋକଙ୍କୁ ଦେଖି ରଡ଼ି ଛାଡୁଥିବା ବେଳେ ଏଣେତେଣେ ଦୌଡ଼ାଦୌଡ଼ି କରୁଛି। ରାଇବଣିଆ ଅଞ୍ଚଳରେ ବାରମ୍ବାର  ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ବରଡ଼ିହା ପଞ୍ଚାୟତର ଭାଡ଼ରାପଦାରୁ ଧାନଘେରା ଯାଏ ଟ୍ରେଞ୍ଚ୍ ଖୋଳିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଜଳେଶ୍ବର ବ୍ଲକ ରାଇବଣିଆ ଅଞ୍ଚଳର ବରଡ଼ିହା, କଳମା, ଶ୍ୟାମନଗର, କାଳିକ ଓ ରାଇବଣିଆ ପଞ୍ଚାୟତରେ କେତେବେଳେ ଶିମିଳିପାଳ ହାତୀ ପୁଣି କେତେବେଳେ ଝାଡ଼ଖଣ୍ଡୀ ହାତୀ ବର୍ଷତମାମ ଉପଦ୍ରବ କରୁଛନ୍ତି। ହାତୀ ଉପଦ୍ରବ ରୋକିବା ଓ ଜନବସତି ନିକଟରୁ ହାତୀଙ୍କୁ ଦୂରରେ ରଖିବା ପାଇଁ ଟ୍ରେଞ୍ଚ୍ ଖୋଳିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା।

ଦାବି ପରେ ଆମ୍ବତୁମ୍ବାରୁ ଲୁହାପଡ଼ା ଯାଏ ୭ କିମି ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ଟ୍ରେଞ୍ଚ୍ ଖନନ କରାଯାଇଥିଲା। ତେବେ ଆମ୍ବତୁମ୍ବା ନିକଟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଗୋରୁ ଚରାଇ ନେବା ପାଇଁ ଟ୍ରେଞ୍ଚ୍ ଉପରେ ମାଟି ପକାଇ ବନ୍ଧ କରିଥିବାରୁ ଏବେ ହାତୀ ସେହି ରାସ୍ତା ଦେଇ ଗାଁ ଭିତରକୁ ପଶି ଆସୁଛନ୍ତି। ଅନ୍ୟପକ୍ଷରେ ବରଡ଼ିହା ପଞ୍ଚାୟତର ଭାଡ଼ରାପଦାରୁ ଧାନ ଘେରାଯାଏ ୬ କିମି ଅଞ୍ଚଳରେ ନୂଆ ଟ୍ରେଞ୍ଚ୍ ଖନନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର