ଲାଞ୍ଜିଗଡ଼ ବସନ୍ତପଡ଼ାରେ ହାତୀ ଉପଦ୍ରବ, ଘର ଭାଙ୍ଗିଲେ, ଫଳ ବଗିଚା ନଷ୍ଟ କଲେ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନ ବସନ୍ତପଡ଼ା ପଞ୍ଚାୟତର ନିୟମଗିରି ପାହାଡ଼ ପାଦଦେଶର ଥିବା ବସନ୍ତପଡ଼ା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ଭୋର ୪ଟାରେ ୧୦ ଘରିଆ ହାତୀପଲ ଆସି ଗାଁର ୪ ଜଣଙ୍କ ଘର ଓ ଶୌଚାଳୟ ଭାଙ୍ଗିବା ସହ କଦଳୀ, ଆମ୍ବ, ସପୁରୀ ବଗିଚା ନଷ୍ଟ କରିଛନ୍ତି।

ସୂଚନାମତେ, ଗୁରୁବାର ଭୋର୍‌ରୁ ହାତୀପଲ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ ବସନ୍ତପଡ଼ା ଗ୍ରାମର ପ୍ରକାଶ ମାଝୀଙ୍କ କଦଳୀ, ସପୁରୀ, ଆମ୍ବ ବଗିଚାକୁ ଦଳିଚକଟି ନଷ୍ଟ କରିଥିଲେ। ଏଥିସହ ପ୍ରକାଶଙ୍କ ଚାଷ ଜମିରେ ଥିବା ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହାପରେ ହାତୀପଲ ନିକଟ ନେତ୍ର  ମାଝୀଙ୍କ ଘରକୁ ଯାଇ ଗର୍ଜନ କରିଥିଲେ। ଭୟରେ ନେତ୍ର ଓ ତାଙ୍କ ସ୍ତ୍ରୀ ମୁକ୍ତା ମାଝୀ ଘରୁ ବାହାରି ନିକଟ ପଡ଼ାକୁ ଚାଲି ଯାଇଥିଲେ। ହାତୀପଲ ସେମାନଙ୍କ ଘରକୁ ଭାଙ୍ଗି ଦେଇଥିଲେ। ସେହିପରି ହରି ମାଝୀଙ୍କ ଘର ନିକଟକୁ ଯାଇ ଗର୍ଜନ କରିଥିଲେ।

ଭୟରେ ହରି ସ୍ତ୍ରୀ ମମତା ମାଝୀ ଓ ପୁଅ ଲିବାସୀ ମାଝୀ ଘର ଛାଡ଼ି ଚାଲି ଯାଇଥିଲେ। ହାତୀପଲ ହରିଙ୍କ ଘର ଭାଙ୍ଗିବା ସହ ଶୌଚାଳୟ ଓ କଦଳୀ ବଗିଚା ଉଜାଡ଼ି ଦେଇଥିଲେ। ଏଥିସହ ଘରେ ଥିବା ଧାନ, ମକା, କାନ୍ଦୁଲ, ଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରି ଦେଇଥିଲେ। ହରିର ସାନ ଭାଇ କୁଶ ମାଝୀଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ହାତୀପଲ ନିକଟ ନିୟମଗିରି ଜଙ୍ଗଲରେ ରହିଥିବା ଜାଣିପାରି ଲାଞ୍ଜିଗଡ଼ ବନ ବିଭାଗକୁ ସୂଚନା ଦିଆଯାଇଥିଲା। କିନ୍ତୁ ଖବରପାଇ ମଧ୍ୟ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇନଥିଲେ। ଯାହା ଫଳରେ ହାତୀପଲ ନିକଟ ନିୟମଗିରି ଜଙ୍ଗଲରୁ ଆସି ୪ଟି ଘର ଭାଙ୍ଗିବା ସହ ଫଳ ବଗିଚା ନଷ୍ଟ କରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ସକାଳ ୯ଟାରେ ଲାଞ୍ଜିଗଡ଼ ବନ ବିଭାଗର ଏଲିଫେଣ୍ଟ ସ୍କ୍ବାଡ୍ ଗାଁକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରେଞ୍ଜର, ଫରେଷ୍ଟର କିମ୍ବା ଫରେଷ୍ଟଗାର୍ଡ ଘଟଣାସ୍ଥଳକୁ ପହଞ୍ଚି ନଥିବା ଲୋକେ ପ୍ରକାଶ କରିଛନ୍ତି। ଏବେ ମଧ୍ୟ ହାତୀପଲ ଗାଁ ନିକଟ ନିୟମଗିରି ପାହାଡ଼ ଜଙ୍ଗଲରେ ରହିଥିବା ବେଳେ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ତୁରନ୍ତ ହାତୀପଲକୁ ଘଉଡ଼ାଇବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର