କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ୩ ଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ଏକକାଳୀନ ୬୦ରୁ ଅଧିକ ହାତୀ ଏହି ରେଞ୍ଜକୁ ପଶିଆସିବା ପରେ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। ବନ ବିଭାଗ ହାତୀ ଘଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏପଟେ ଜଙ୍ଗଲରେ ଖାଦ୍ୟ ନପାଇ ହାତୀପଲ ଜନବସତିରେ ପଶି ଘରଦ୍ବାର ଭାଙ୍ଗୁଛନ୍ତି। ଗତକାଲି ରାତି ପ୍ରାୟ ୯ଟାରେ ଏହି ବ୍ଲକ୍ର ବାହାଦୁରପୁର ଗ୍ରାମର କୋହ୍ଲ ସାହିରେ ପଶିଥିଲେ ୧୫ରୁ ଅଧିକ ହାତୀ। ହାତୀଙ୍କୁ ଦେଖି ଗାଁରେ ଆତଙ୍କ ଖେଳିଯାଇଥିଲା।
କିଏ ତାଟିକବାଟ ପକାଇ ଘରେ ପଶିଥିଲା ତ ଆଉ କିଏ ଗଛ ଉପରକୁ ଚଢ଼ି ଯାଇଥିଲା। କିଛି ଲୋକ ଅନ୍ୟ ଗାଁକୁ ପଳାଇଥିଲେ। ତେବେ ଏହି ଗ୍ରାମର ସବିତା ସିଂ ଅନ୍ଧାର ରାତିରେ ନିଜର ଦୁଇ ଛୁଆଙ୍କୁ ନେଇ କୁଆଡ଼େ ଯିବେ ବୋଲି ବୁଦ୍ଧିବାଟ ପାଇନଥିଲେ। ତାଙ୍କ ଝାଟିମାଟି ଘର ଉପରେ ହାତୀପଲ ଆକ୍ରମଣ କଲେ ସମସ୍ତଙ୍କ ଜୀବନ ଯିବା ନିଶ୍ଚିତ ଜାଣି ଆଗପଛ ବିଚାର ନକରି ଘରୁ ବାହାରି ଆସିଥିଲେ। ତେବେ ଅନ୍ଧାରରେ ପାଦେପାଦେ ବିପଦ ଥିବାରୁ ଶେଷରେ ଗାଁ ରାସ୍ତାର ପୋଲତଳକୁ ଦୁଇ ଛୁଆଙ୍କୁ ଧରି ପଶି ଯାଇଥିଲେ। କିଛି ସମୟ ପରେ ସେହି ପୋଲ ଉପର ଦେଇ ଯା’ଆସ କରିଥିଲେ ହାତୀପଲ। ଆଉ ପୋଲ ତଳେ ଦୁଇ ଛୁଆଙ୍କୁ ଭିଡ଼ିଧରି ଭୟରେ ଜଡ଼ସଡ଼ ହୋଇ ୬ ଘଣ୍ଟା କାଳ ବସି ରହିଥିଲେ ସବିତା। ଗାଁରେ ଉତ୍ପାତ କରିବା ପରେ ସେହି ପୋଲ ଉପର ଦେଇ ପାଖ ଜଙ୍ଗଲକୁ ପଳାଇଥିଲେ ହାତୀପଲ। ଏହାପରେ ସବିତା ପୋଲରୁ ବାହାରି ନିଜ ଘରକୁ ଫେରିଥିଲେ। ନିଜ ଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ବନ ବିଭାଗର ଅପାରଗତାକୁ ନିନ୍ଦା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/20-17.jpg)