ଥମୁନି ହାତୀ ଉପଦ୍ରବ: ବୈଶିଙ୍ଗା ବଜାରରେ ବୁଲିଲା ଦନ୍ତା

ବୈଶିଙ୍ଗା/ଚିତ୍ରଡ଼ା: କିଛି ଦିନ ହେଲା ବୈଶିଙ୍ଗା ବଜାର ଆଖପାଖରେ ବୁଲୁଥିବା ଗୋଠଛଡ଼ା ଦନ୍ତା ହାତୀକୁ ରୋକିବାକୁ ଆଖିଦୃଶିଆ ଉଦ୍ୟମ କଲାନି ବନବିଭାଗ। ଫଳସ୍ବରୂପ ଆଜି ବଜାର ଭିତରେ ପଶିଥିଲା ଏହି ବିଶାଳ ଦନ୍ତା। ଜଙ୍ଗଲରୁ ବାହାରି ମାଣତ୍ରୀ-ବୈଶିଙ୍ଗା ରାସ୍ତାରେ ୧୦ କିଲୋମିଟର ଚାଲି ଚାଲି ଆସି ବୈଶିଙ୍ଗା ବଜାରରେ ପହଞ୍ଚିଥିଲା। ଆସିବା ବାଟରେ ପଦ୍ମପୁର ଜଗନ୍ନାଥ ମନ୍ଦିର ନିକଟସ୍ଥ ପୋଖରୀରେ ପଶି କିଛି ସମୟ ଜଳକ୍ରୀଡ଼ା କରିଥିଲା। ଏହାପରେ ସକାଳୁ ସକାଳୁ ବୈଶିଙ୍ଗା ବଜାରରେ ପଶିଥିଲା। ତେବେ ବିଶେଷ କିଛି କ୍ଷୟକ୍ଷତି ନକରି ଦନ୍ତାଟି ଯେଉଁ ରାସ୍ତାରେ ଆସିଥିଲା ସେହି ରାସ୍ତାରେ କ୍ଷୀରପଦା ଜଙ୍ଗଲକୁ ଫେରିଯାଇଥିଲା।

ସେହିପରି ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ହାତୀଙ୍କ ପାଇଁ ଲୋକେ ବ୍ୟାପକ କ୍ଷୟକ୍ଷତି ସହୁଥିଲା ବେଳେ ଏହାକୁ ରୋକିପାରୁନି ବନବିଭାଗ। ଗତ ସୋମବାର ବିଳମ୍ବିତ ରାତିରେ ମୋରଡ଼ା ବ୍ଲକ୍‌ ଅଧୀନ ରାମନଗର ବିନ୍ଧାଣିସାହିରେ ପଶିଥିଲେ ଦୁଇଟି ଦନ୍ତା। ଖାଦ୍ୟ ଅନ୍ବେଷଣରେ ହାତୀ ଦୁଇଟି କାଳିଚରଣ ମାରାଣ୍ଡିଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଫଳରେ ମାଟିକାନ୍ଥ ଗଳିପଡ଼ିବାରୁ କାଳିଚରଣ ଆହତ ହୋଇଥିଲେ। ଖବର ପାଇ ରାସଗୋବିନ୍ଦପୁର ରେଞ୍ଜ ବନ କର୍ମଚାରୀ ପହଞ୍ଚି ହାତୀ ଦୁଇଟିକୁ ଘଉଡ଼ାଇବା ସହ କାଳିଚରଣଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ରେଞ୍ଜର ପ୍ରଶାନ୍ତ ବେହେରା। ସେହିପରି ଦୁର୍ଗାପୁର ପଞ୍ଚାୟତ ସାତଶୋଳ ଗ୍ରାମରେ ପଶି ଲିଲି ବିନ୍ଧାଣିଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ପୂର୍ବରୁ ମଧ୍ୟ ହାତୀପଲ ଲିଲିଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେହିପରି ଉକ୍ତ ଗ୍ରାମର ରବିରାମ ବାସ୍କେ, ଦୁର୍ଗାପୁର ଗ୍ରାମର ବାଇଧର ସିଂ, ପୁରୁଣାଡ଼ିହିର ରାମଚନ୍ଦ୍ର ସିଂଙ୍କ ଘରକୁ ମଧ୍ୟ ହାତୀ ପଲ ଭାଙ୍ଗିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର