ଦିନତମାମ ନୟାନ୍ତ କରି ପଶ୍ଚିମବଙ୍ଗ ଲେଉଟିଲା ଗଜରାଜ

ଗାଁରେ ପଶିଲା, ପୋଖରୀରେ ଗାଧୋଇଲା

ଶୁଳିଆପଦା : ଲୋକେ ସକାଳୁ ବିଛଣା ଛାଡ଼ି ଦାଣ୍ଡକୁ ଆସିବାବେଳକୁ ଗାଁ ମଝିରେ ହାତୀ। ଜନବସତି ମଝାମଝିରେ ହାତୀକୁ ଦେଖି ଛାନିଆ ହୋଇପଡ଼ିଲେ ଲୋକେ। ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଗାଁ ଭିତରୁ ବାହାର କରିଥିଲେ। ତଥାପି, ହାତୀଟି ଦିନତମାମ ନୟାନ୍ତ କରିଥିଲା। ତା’ପରେ ପଶ୍ଚିମବଙ୍ଗକୁ ଚାଲିଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ କାଙ୍କିଣୀ ଗାଁରେ ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ ଆଜି ଭୋର୍‌ ପ୍ରାୟ ୩-୪ଟା ଭିତରେ ପଶ୍ଚିମବଙ୍ଗର ଧାନଶଳା ଦେଇ ଏକ ଦନ୍ତାହାତୀ ମୟୂରଭଞ୍ଜ ସୀମାରେ ପଶିଥିଲା। ହାତୀଟି ମୁଖ୍ୟରାସ୍ତାରେ ଆସି ବାଘଡ଼ା ବଜାର ନିକଟରେ ପହଞ୍ଚିଥିଲା। ସେଠାରୁ କୋଷ୍ଠା-ବାରିପଦା ମୁଖ୍ୟ ରାସ୍ତାରେ ପାଖାପାଖି ୪ କିମି ଆସିବା ପରେ ଷଣ୍ଢ ଛକରୁ ଦକ୍ଷିଣ ମୋଡ଼ ନେଇ କାଙ୍କିଣୀ ଗ୍ରାମ ରାସ୍ତାରେ କାଙ୍କିଣୀ ଗାଁକୁ ପଶିଥିଲା। ଭୋରୁ ଲୋକେ ବିଛଣା ଛାଡ଼ି ଦାଣ୍ଡକୁ ଆସିବା ବେଳକୁ ଗାଁ ମଝିରେ ହାତୀ ଦେଖି ଛାନିଆ ହୋଇଯାଇଥିଲେ।

ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ପରେ ହାତୀଟି ଶୁଳିଆପଦା-ଗୁହାଳଡିହା ମୁଖ୍ୟ ରାସ୍ତାର ୧୯ ମାଇଲଠାରେ ପହଞ୍ଚିଥିଲା। ସେଠାରୁ ଶୁଳିଆପଦା ବଜାରଆଡ଼କୁ ମୁହାଁଇଥିଲା। ହାତୀ ଆସୁଥିବା ଖବର ପାଇ ଶୁଳିଆପଦା ବଜାରରେ ଲୋକଙ୍କ ଭିଡ଼ ଲାଗିଥିଲା। ତେବେ ହାତୀଟି ବଜାରଆଡ଼କୁ ନଯାଇ ବାଟରୁ ଦିଗ ବଦଳାଇଥିଲା। ବଣକାଟି ଘଣଘଣା ଦିଗରେ ଯାଇ ପଶ୍ଚିମବଙ୍ଗ ସୀମାନ୍ତ ବିଶୁଶୋଳ ଗାଁ ନିକଟସ୍ଥ ପୋଖରୀରେ ଗାଧୋଇଥିଲା। ବେଶ୍‌ କିଛି ସମୟ ପାଣିରେ ରହିବା ପରେ ଶେଷରେ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିଥିଲା।

ଦିନତମାମ ନୟାନ୍ତ କଲା ପରେ ହାତୀଟି ବାହୁଡ଼ି ଯିବା ପରେ ଆଶ୍ବସ୍ତ ହୋଇଥିଲେ ବନକର୍ମଚାରୀ। ଦେଉଳି ରେଞ୍ଜର ରବିନାରାୟଣାୟ ମହାନ୍ତି, ବନରକ୍ଷୀ ବିଜୟ କୁମାର ସେଠୀ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଥିଲେ।

ସମ୍ବନ୍ଧିତ ଖବର