ଟ୍ରକ୍‌ ପାଇଁ ହାତୀଙ୍କ ପଥ ପରିବର୍ତ୍ତନ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ରାସ୍ତାରେ ରହିଛି ୬୫ଟି ‘ଏଲିଫାଣ୍ଟ୍‌ ପାସ୍’
ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ ଯୋଗୁଁ ରାସ୍ତା ବଦଳାଉଛନ୍ତି ହାତୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ହାତୀ ଚଲାପଥ (ଏଲିଫାଣ୍ଟ୍‌ ପାସ୍‌)ରେ ଦିନରାତି ଚାଲିଛି ହଜାର ହଜାର ଟ୍ରକ୍‌। ଏହା ଫଳରେ ହାତୀମାନଙ୍କ ବଦଳିଛି ଗତି ପଥ। ଏହା ଫଳରେ ଜଙ୍ଗଲ ରାସ୍ତା ଭାଙ୍ଗି ଗାଁ ଗଣ୍ଡାରେ ହାତୀ ପଶି ବ୍ୟାପକ କ୍ଷତି କରୁଛନ୍ତି।

ସରକାରୀ ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ମୁଖ୍ୟ ସଡ଼କର ୬୫ଟି ସ୍ଥାନରେ ହାତୀ ରାସ୍ତା ଅତିକ୍ରମ କରିଥାନ୍ତି। ଏଥିମଧ୍ୟରୁ ଜାତୀୟ ରାଜପଥ ୫୨୦, ୫୨୧ , ୫୨୩ ଏବଂ ୫୨୪ରେ ୧୨ଟି ହାତୀ ଚଲାପଥ ରହିଛି। ଏହି ସମସ୍ତ ଜାତୀୟ ରାଜପଥ ବଡ଼ବିଲ ରେଞ୍ଜ୍‌ ଅନ୍ତର୍ଗତ। ତେବେ ଏହା ହେଉଛି ରାଜ୍ୟର ସର୍ବାଧିକ ବ୍ୟସ୍ତ ଜାତୀୟ ରାଜପଥ। ଦୈନିକ ହଜାର ହଜାର ଟ୍ରକ ଜରିଆରେ ଲୁହାପଥର ପରିବହନ ଏହି ରାସ୍ତାରେ ହୋଇଥାଏ। ଯୋଡା –ବାମେବାରୀ ରାସ୍ତା କଡ଼ରେ ଏକାଧିକ ଲୁହାପଥର ଖଣି ଥିବା ବେଳେ ଏହି ରାସ୍ତାରେ ମଧ୍ୟ ରହିଛି ‘ଏଲିଫ୍ୟାଣ୍ଟ କ୍ରସିଂ’। ସେହିପରି ରିମୁଳି ଠାରୁ ବାସୁଦେବପୁର ଅଙ୍ଗୁଳିଆ ଏବଂ ତଡୁବାହାଲ ରାସ୍ତାରେ ରହିଛି ଦୁଇଟି ହାତୀ ଚଲାପଥ।

ଅର୍ଶଳା ଠାରେ ହାତୀ ଚଲାପଥ ରହିଥିବା ବେଳେ ରାଜାବସାଠାରୁ ରିମୁଳି ରାସ୍ତାର ମୁରୁସୁଆଁ ଠାରେ, ରିମୁଳି- ଚମ୍ପୁଆ ରାସ୍ତାର ମହେଶ୍ବରପୁର ଏବଂ ଚନ୍ଦ୍ରଶେଖରପୁରଠାରେ ହାତୀ ଚଲାପଥ ରହିଛି। ଜାତୀୟ ରାଜପଥ ୨୧୫ରେ ରହିଛି ୪ଟି ହାତୀ ଚଲାପଥ। ଜାତୀୟ ରାଜପଥ -୨୦ରେ ୫ଟି ହାତୀ ଚଲାପଥ ରହିଥିବା ବେଳେ ଜାତୀୟ ରାଜପଥର ୪୯ର ଗୋଳାନ୍ଧ ଓ ଖିରେଇଟାଙ୍ଗିରେ ରହିଛି ହାତୀ ଚଲାପଥ। ସେହିପରି ରାଞ୍ଚି-ବିଜୟୱାଡା ରାଜପଥରେ ହାତୀ ଚଲାପଥ ଥିବା ବେଳେ ଜାତୀୟ ରାଜପଥ ୨୦ରେ ଗୋପାଳପୁର ଏବଂ ନରଣପୁର ବିଟ୍‌ ଅଧୀନରେ ୮ଟି ହାତୀ ଚଲାପଥ ରହିଛି। ଜାତୀୟ ରାଜପଥର ୪୯ର ବେଲଦାଠାରେ, ରିମୁଳି-ପାଣିକୋଇଲି ରାସ୍ତାର ବାଲିଯୋଡି ଛକ, ଦରଖୋଳା ଛକ, ବାଙ୍କପାଟୁଳି ଛକ, ଚିକିଣିଆ ଛକ ପାଖରେ ରହିଛି ହାତୀ ଚଲାପଥ। ସେହିପରି ଜାତୀୟ ରାଜପଥ ୪୯ର ପୁତୁପାଣି ଛକ, ବିଏସ୍‌ ପେଟ୍ରୋଲ ପମ୍ପ ଛକ, ଡଙ୍ଗାପାଣି ଛକ, ଜାମୁଡିହ ଛକ, ତେନ୍ତୁଳି ଛକ, ତଳକାଇପୁର ଛକ, କୁଅଁର ଛକ, କତ୍ରାପାଲି ଛକରେ ରହିଛି ହାତୀ ଚଲାପଥ। ଏବେ ରାତି ଦିନ ଯାନ ଚଳାଚଳ କରୁଥିବାରୁ ହାତୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

ଏଠାରେ ଏକ ଉଦାହରଣ ନିଆଯାଉ, ପାଣିକୋଇଲି ରିମୁଳି ରାସ୍ତାର ବନାଯୋଡିଠାରେ ଗତ ୮ ତାରିଖରେ ୪୫୮୦, ୯ରେ ତାହା ୪୬୧୪, ୧୦ରେ ୪୭୧୮ ଓ ୧୧ରେ ୫୨୩୬ ଟି ଗାଡ଼ି ଅତିକ୍ରମ କରିଛି। ଅର୍ଥାତ ପ୍ରତି ମିନିଟ୍‌‌ରେ ଏହି ଜାତୀୟ ରାଜପଥର ବନାଯୋଡିଠାରେ ସର୍ବନିମ୍ନ ୩ଟି ଗାଡ଼ି ଅତିକ୍ରମ କରିଥାଏ। ତେଣୁ ହାତୀପଲ ରାସ୍ତା ଅତିକ୍ରମ କଲା ବେଳେ ଅସୁବିଧାରେ ପଡ଼ୁଥିବା କହିଛନ୍ତି ପରିବେଶବିତ୍‌। ଜାତୀୟ ରାଜପଥରେ ହାତୀ ଚଳାଚଳକୁ ସୁଗମ କରିବାକୁ ଅଣ୍ଡର ପାସ୍‌ ହୋଇଥିଲେ ହେଁ ତାହା ଅଧିକାଂଶ ସ୍ଥାନରେ ସଂପୂର୍ଣ୍ଣ ହୋଇନାହିଁ।

ସମ୍ବନ୍ଧିତ ଖବର