ବୈଶିଙ୍ଗା: ଯୁଗଳ ଓ ତିଳଦା ଜଙ୍ଗଲ ଦେଇ ଭୁରୁଡୁବଣି ଅଞ୍ଚଳରେ ପ୍ରବେଶ କରିଥିବା ଗୋଠଛଡ଼ା ଦନ୍ତାଟି ଗତକାଲି ରାତିରେ କ୍ଷୀରପଦା ସୋରିଷକୋଠା ଦେଇ ବାଲେଶ୍ୱର ଡିଭିଜନକୁ ଚାଲିଯାଇଥିଲା। ତେବେ ଆଜି ସକାଳରେ ‌ପୁଣି ପ୍ରତ୍ୟାବର୍ତ୍ତନ କରି ଚୁଆପଦା ରାସ୍ତାରେ ଆସି ବୈଶିଙ୍ଗା-ମାଣତ୍ରୀ-ଉଦଳା ମୁଖ୍ୟ ରାସ୍ତାର ବଡାମ ଠାକୁରାଣୀଙ୍କ ମନ୍ଦିର ନିକରେ ପହଞ୍ଚିଥିଲା। ଏଠାରେ ରାସ୍ତା ଉପରେ ଠିଆ ହୋଇ ରହିବାରୁ ପ୍ରାୟ ୨ ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା।

Advertisment

ତେବେ ଏହି ଦନ୍ତାକୁ ଦେଖିବାକୁ ଏବଂ ଫୋଟୋ ଉଠେଇବାକୁ ଶତାଧିକ ଲୋକଙ୍କ ଗହଳି ଲାଗିଥିଲା। ତେବେ କିଛି ଅମାନିଆ ଯୁବକ ନିଜ ଜୀବନକୁ ବିପଦରେ ପକାଇ ଦନ୍ତା ସହ ଫୋଟୋ ଉଠେଇବାକୁ ଏହାର ଅତି ନିକଟତର ହେଉଥିବାର ଦେଖିବାକୁ ମିଳିଥିଲା। ତେବେ ଦନ୍ତାଟି ସେମାନଙ୍କୁ ଗୋଡ଼ାଇବାରୁ ଯେ ଯୁଆଡ଼େ ପାରିଥିଲେ ଦୌଡ଼ିଥିଲେ। ଶେଷରେ ବନବିଭାଗ ହାତୀଟିକୁ ପାଖ ଜଙ୍ଗଲକୁ ଘଉଡ଼ାଇ ଦେଇଛି। ହାତୀଟି ପୁଣି ଜନବସତିକୁ ପଶିବାର ଆଶଙ୍କା ଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିବା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ସୂଚନା ଦେଇଛନ୍ତି।