କଟକ: ରାଜ୍ୟରେ ଜାରି ରହିଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ ତୁରନ୍ତ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ମୁଖ୍ୟ ବନ ସଂରକ୍ଷକ ଦାୟିତ୍ବରେ ଥିବା ମନୋଜ ଭି. ନାୟର୍ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତଥା ବିଭିନ୍ନ ସ୍ତରରେ ବିଚାରବିମର୍ଷ ଓ ବିଶେଷଜ୍ଞଙ୍କ ମତାମତକୁ ବିଚାରକୁ ନିଆଯାଇ ହାତୀଙ୍କ ସୁରକ୍ଷା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହି ଆକ୍ସନ୍ ପ୍ଲାନ୍ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତାସଂପନ୍ନ କମିଟି (ଏଚ୍ପିସି) ଦ୍ବାରା ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୩୦ ଦିନ ସମୟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।
ହାତୀଙ୍କ ସୁରକ୍ଷା ପ୍ରସଂଗକୁ ଜରୁରୀ ଧ୍ୟାନ ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଥିଲେ। ଏଥିସହିତ କୌଣସି ବିଳମ୍ବ ନ କରି ଏଚ୍ପିସି ଦ୍ବାରା ଆକ୍ସନ୍ ପ୍ଲାନ୍ ଅନୁମୋଦନ ପ୍ରସଂଗରେ ମୁଖ୍ୟ ସଚିବ ପଦକ୍ଷେପ ଗ୍ରହଣ କରିବେ। ଦୁଇ ସପ୍ତାହ ଭିତରେ ଆକ୍ସନ୍ ପ୍ଲାନ୍ ଅନୁମୋଦନ ପାଇଁ ମୁଖ୍ୟ ସଚିବ ଏହି ପଦକ୍ଷେପ ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଆକ୍ସନ୍ ପ୍ଲାନ୍ ଆଧାରରେ ହାତୀ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଂଗରେ ତୁରନ୍ତ ପଦକ୍ଷେପ ନିଆଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏକମାସ ଭିତରେ କେଉଁ ସବୁ ପ୍ରସଂଗରେ ଆକ୍ସନ୍ ପ୍ଲାନ୍ ଆଧାରରେ ପଦକ୍ଷେପ ନିଆଯିବ ତାହା ଚୂଡାନ୍ତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା।
ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ଶିକାର ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇନଜୀବୀ ଆଶିଷ କୁମାର ମିଶ୍ର ଏକ ରିପୋର୍ଟ ଦାଖଲ କରିଥିଲେ। ଶିମିଳିପାଳର ବକୁଆ ଗ୍ରାମକୁ ଯାଇ ମୃତ ପ୍ରତ୍ୟକ୍ଷଦର୍ଶୀଙ୍କ ପତ୍ନୀଙ୍କ ସହିତ ଆଲୋଚନା କରିବା ପରେ ଏହି ରିପୋର୍ଟ ଶ୍ରୀ ମିଶ୍ର ଦାଖଲ କରିଥିଲେ। ମୃତ ତୁରାମ୍ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଯଶିପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କୌଣସି ତଦନ୍ତ କରୁ ନାହିଁ। ମୃତ ବ୍ୟକ୍ତିଙ୍କ ପତ୍ନୀ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଯଶିପୁର ଥାନାରେ ରୁଜୁ ମାମଲାର କ’ଣ ସ୍ଥିତି ରହିଛି ସେ ନେଇ ହାଇକୋର୍ଟ ଆଜି ଜେଟିଏଫର ସଦସ୍ୟ ଥିବା ଅତିରିକ୍ତ ଏସ୍ପିଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ। ଏହି ମାମଲା ତାଙ୍କ ନିୟନ୍ତ୍ରଣ ପରିସରରେ ନାହିଁ ବୋଲି ଜେଟିଏଫ୍ ସଦସ୍ୟ ଦର୍ଶାଇଥିଲେ। ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ମାମଲାର କ’ଣ ସ୍ଥିତି ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ଶିକାର ଘଟଣାରେ ଗିରଫ ହୋଇଥିବା ୩ଜଣ ବନ କର୍ମଚାରୀ ଜାମିନରେ ଯିବା ପରେ ତଦନ୍ତରେ ସହଯୋଗ କରୁ ନଥିବା ଘଟଣା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ଏହି କର୍ମଚାରୀ ମାନଙ୍କୁ ନୋଟିସ୍ କରାଯିବା ପରେ ମଧ୍ୟ ସେମାନେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଉ ନାହାନ୍ତି ବୋଲି ଜଣା ପଡିଥିଲା। ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ବିଳମ୍ବ ନ କରି ଚାର୍ଜସିଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯିବ। ଏହି ମାମଲାରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ଜେଟିଏଫ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଭର୍ଚୁଆଲ ମୋଡ୍ରେ ଯୁଗ୍ମ ଟାସ୍କ ଫୋର୍ସ (ଜେଟିଏଫ୍)ର ଅଧ୍ୟକ୍ଷ, ସଦସ୍ୟ, ହାତୀ ପ୍ରସଂଗର ବିଶେଷଜ୍ଞ ଡକ୍ଟର ରମଣ ସୁକୁମାର ପ୍ରମୁଖ ଉପସ୍ଥିତ ରହି ପକ୍ଷ ରଖିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ଜେଟିଏଫ୍ ସଦସ୍ୟ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଥିବା ବେଳେ ଜେଟିଏଫ୍କୁ ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗୀତା ରାଉତ, ବାଳଗୋପାଳ ମିଶ୍ର, ମୃଣାଳିନୀ ପାଢୀ, ଦ୍ବିଜ ଦଳପତି ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ଆଶିଷ କୁମାର ମିଶ୍ର, ଜି.ପି. ମହାନ୍ତି, ମୃଣାଳିନୀ ପାଢୀ ମାମଲା ପରିଚାଳନା କରୁଛନ୍ତି।