ଯାଜପୁର ନରହନ୍ତା ଦନ୍ତା ‘ନରସିଂହା’ ଚନ୍ଦକା ଅଭୟାରଣ୍ୟରେ ମୃତ

ଭୁବନେଶ୍ୱର: ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟିରେ ବନ୍ଦୀ ଜୀବନ ବିତାଉଥିବା ନରହନ୍ତା ଦନ୍ତା ‘ନରସିଂହା’ର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ଦୁଇ ସପ୍ତାହ ହେବ ଅସୁସ୍ଥ ଥିବା ଦନ୍ତାକୁ ପଶୁଡାକ୍ତରମାନେ ଭଲ କରିପାରି ନାହାନ୍ତି।

ଅସୁସ୍ଥ ଦନ୍ତାକୁ ଲୁହା ଶିକୁଳିରେ ବେଡ଼ି ପକାଇ ଚିକିତ୍ସା କରାଯାଉଥିଲା। କାରଣ ତା’ର ଚାରି ଗୋଡ଼ରେ ଘା’ ହୋଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଘା’ ଭଲ ହେଉ ନଥିଲା। ତେଣୁ ସଂକ୍ରମଣଜନିତ ରୋଗ ପାଇଁ ତା’ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଥିଲା। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଟିମ୍‌ ନିୟମିତ ଚିକିତ୍ସା ଜାରି ରଖିଥିଲେ ବି କିଛି ସୁଫଳ ମିଳିନଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖ ଭୋରରୁ ନରସିଂହାକୁ ଯାଜପୁରରୁ ଚନ୍ଦକା ଅଣାଯାଇଥିଲା ଓ କୁମାରଖୁଣ୍ଟି ଜଳାଶୟ ନିକଟରେ ବନ୍ଦୀ କରି ରଖାଯାଇଥିଲା। ଯୁବାବସ୍ଥାର ଏହି ଦୁର୍ଦାନ୍ତକୁ ଆୟତ୍ତ କରିବା ପାଇଁ ତାର ଚାରି ଗୋଡ଼କୁ ଲୁହା ଶିକୁଳିରେ ବନ୍ଧା ଯାଇଥିଲା। ତା’ ଗୋଡ଼ରୁ ଲୁହା ଶିକୁଳି ଖୋଲି ଏକ ଟ୍ରେଞ୍ଚ୍‌ ଘେରା ମୁକ୍ତ ଏନ୍‌କ୍ଲୋଜର ଭିତରେ ରଖିବାକୁ ଯୋଜନା କରାଯାଇଥିଲା। ମାତ୍ର ଚିହ୍ନଟ ସ୍ଥାନ ପଥୁରିଆ ପଡ଼ିବାରୁ ସେହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବରଂ ଅଧାରେ ଅଟକି ଗଲା। ଫଳରେ ସେହିଦିନରୁ ନରସିଂହା ଗୋଡ଼ରେ ଶିକୁଳି ପଡ଼ି ରହିଲା ଓ ଘସି ହୋଇ ହୋଇ ଘା’ ହୋଇଗଲା।

ନନ୍ଦନାକାନନ ଚିକିତ୍ସକମାନେ ଚିକିତ୍ସା କଲେ ମଧ୍ୟ ଠିକ୍‌ରେ ଔଷଧ ଲେପ ହୋଇପାରୁ ନଥିବାରୁ ଘା’ ଭଲ ହେଉ ନଥିଲା। ଆସାମ ମାହୁନ୍ତ ତାକୁ ପୋଷା ମନାଇ ପାରିନଥିଲା। ଫଳରେ ଗୋଡ଼ ଘା’ରେ ଔଷଧ ଲେପନ କରିବାକୁ ଗଲାବେଳେ ଦନ୍ତା ମାରିବାକୁ ଉଦ୍ୟତ ହେଉଥିଲା।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ରେଞ୍ଜ ଅନ୍ତର୍ଗତ ଦାନଗଦୀରେ ହାତୀ ଉପଦ୍ରବ କରିବା ସହ ଚାରି ଜଣଙ୍କ ଜୀବନ ନେଇଥିଲା। ହାତୀ ଆକ୍ରମଣ ଘଟଣା ପରେ କିଛି ଲୋକ ଆହତ ହୋଇଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗର ଅଧିକାରୀଙ୍କୁ ନିବେଦନ କରିଥିଲେ। ପରେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା।

ସମ୍ବନ୍ଧିତ ଖବର