ବନ୍ତଳା : ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ୍ ନୂଆକ୍ଷେତା ସେକ୍ସନ୍ରେ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର କରାଯାଇଛି। ଏହି କଙ୍କାଳ ଏକ ଦନ୍ତା ହାତୀର ବୋଲି ପ୍ରଥମେ ଆଲୋଚନା ହେଉଥିଲା। ଆଜି ବନବିଭାଗ ତଦନ୍ତ ପରେ ତାହା ହିଁ ସ୍ପଷ୍ଟ ହୋଇଛି। ତେବେ, ଦୁଇ ଦାନ୍ତ ସେଠାରୁ ଗାଏବ ହୋଇଥିବା ବେଳେ ଦୁଇ ଜଙ୍ଘ ହାଡ଼ ମଧ୍ୟ ନ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏ ହାତୀଟି ସ୍ଥାନୀୟ ଅଞ୍ଚଳରେ ପ୍ରାୟ ଗଲା ବର୍ଷେ ତଳୁ ମଲାଣି।
ଗତକାଲି ସ୍ଥାନୀୟ କିଛି ଲୋକ ଠେଙ୍ଗାପାଳି କରି ଜଙ୍ଗଲ ଜଗିବାକୁ ଯାଇଥିବାବେଳେ ନୂଆକ୍ଷେତା ସେକ୍ସନ୍ର ସଳପଖୋଲ ଜଙ୍ଗଲ ନିକଟରେ ଗୋଟିଏ କଙ୍କାଳ ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଲୋକେ ତା’ର ଭିଡିଓ କରିଥିଲେ। ବନ ବିଭାଗ କାନରେ ଏକଥା ପଡ଼ିବା ପରେ ବିଭାଗୀୟ ଅଧିକାରୀମାନଙ୍କର ଅକଲ୍ ଗୁଡୁମ୍ ହୋଇ ଯାଇଥିଲା। ଯେନତେନ ପ୍ରକାରେ ଘଟଣାକୁ ଚାପିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ।