ହାତୀଦାନ୍ତ କାରବାର ନିୟନ୍ତ୍ରଣ ହେଉଥିଲା କଲିକତାରୁ
ସ୍ଥାନୀୟ ଶିକାରୀ କେବଳ ମୋହରା
ଫେରାର୍ ଫରେଷ୍ଟର୍ଙ୍କ ପାଖରେ ରହିଛି ହାତୀଦାନ୍ତ!
କଟକ : ନିଜ କର୍ମଚାରୀଙ୍କୁ ନିଜେ ଖୋଜି ପାଉନି ବନବିଭାଗ। ମାମଲା ରୁଜୁର ୧୦ଦିନ ପରେ ବି ବଡ଼ମ୍ବା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର୍ ମନୋଜ କୁମାର ଦାସ ଓ ଅନ୍ୟ ଜଣେ ଫରେଷ୍ଟର୍ ପ୍ରଦୀପ ପରିଡ଼ାଙ୍କୁ ଖୋଜି ପାଉନି। ଫେରାର୍ ଥିବା ଦର୍ଶାଇ ଚୁପ୍ ବସିଯାଇଛି। ଅନ୍ୟପଟେ ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର୍ଙ୍କ ପାଖରେ ହାତୀଦାନ୍ତ ରହିଥିବା ଓ ହାତୀକୁ ପୋତିବା ଘଟଣାରେ ସିଧାସଲଖ ତାଙ୍କ ସଂପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ, ବଡ଼ମ୍ବା, ନରସିଂହପୁରରୁ ହାତୀଦାନ୍ତ ଚୋରାଚାଲାଣ ଘଟଣା ସିଧାସଲଖ କଲିକତାର ମାଫିଆଙ୍କ ନିୟନ୍ତ୍ରଣରେ ରହୁଥିବା ଓ ସେଠାରେ ବିଦେଶକୁ ଚାଲାଣ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ବଡମ୍ବା ଓ ନରସିଂହପୁରରୁ ମାଟିତଳୁ ୪ଟି ହାତୀର ଗଳିତ ମୃତଦେହ ଓ କଙ୍କାଳ ମିଳିବା ତଥା ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାଜ୍ୟ ସରକାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଛନ୍ତି। ଏହାକୁ ନେଇ ଆଠଗଡ଼ ବନବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟ ଛନ୍କା ପଶିଛି। ଟିମ୍ ତଦନ୍ତ ପାଇଁ କେବେ ଆସିବ, ତାହା ଯଦିଓ ସ୍ପଷ୍ଟ ଜଣାପଡିନି, ତେବେ ଏହାକୁ ନେଇ ଘନ ଘନ ବୈଠକ ସହ ତଥ୍ୟ, ପ୍ରମାଣ ଓ କାଗଜପତ୍ର ତିଆରିରେ ବ୍ୟସ୍ତ ରହିଛନ୍ତି ଅଧିକାରୀ ଓ କର୍ମଚାରୀ।
ଆଠଗଡ଼ ବନଖଣ୍ଡ ଏବେ ହାତୀମୃତ୍ୟୁର ଉପତ୍ୟକା ପାଲଟିଛି। ୪ମାସରେ ୪ଟି ହାତୀ କଙ୍କାଳ ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଓ ନରସିଂହପୁର ୱେଷ୍ଟ ରେଞ୍ଜରୁ ବାହାରିବା ତଥା ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଯାହାକୁ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ଏହି କମିଟି ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଅନ୍ୟପଟେ ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ପାଦଦେଶରୁ ୩ଟି ହାତୀର ଗଳିତ ମୃତଦେହ ଓ କଙ୍କାଳ ବାହାରିବା ପରେ ଏହି ଘଟଣାରେ ବନବିଭାଗ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ଘଟଣାରେ ଜମି ମାଲିକଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଫରେଷ୍ଟ ଗାର୍ଡ, ୩ଜଣ ହାତୀ ଜଗୁଆଳୀ, ଜମି ମାଲିକ ଓ ଜଣେ ଗ୍ରାମବାସୀ ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଇଜଣ ଫରେଷ୍ଟର୍ ଫେରାର ରହିଥିବା ବେଳେ ବନବିଭାଗ ତାଙ୍କୁ ଗିରଫ କରିପାରୁନି।
/sambad/media/post_attachments/wp-content/uploads/2022/06/elephants-300x169.jpg)
ସେମାନଙ୍କ ଭିତରୁ ଜଣେ ଫେରାର ଫରେଷ୍ଟର୍ ରେଞ୍ଜ ଦାୟିତ୍ବରେ ଥିବା ବେଳେ ହାତୀମାନଙ୍କୁ ପୋତାଯାଇଛି ଓ ତାଙ୍କ ଜାଣତରେ ସବୁ ଘଟିଥିବା କୁହାଯାଉଛି। ଏପରିକି ଏସ୍ଟିଏଫ୍ ମାଟିତଳୁ ଉଦ୍ଧାର କରିଥିବା ଦନ୍ତାହାତୀର ଦାନ୍ତ ମଧ୍ୟ ଉକ୍ତ ଫରେଷ୍ଟର୍ଙ୍କ ପାଖରେ ରହିଥିବା ଚର୍ଚ୍ଚା ହେଉଛି। ଏହି ଅଭିଯୋଗକୁ ନେଇ ଆଠଗଡ଼ ବନଖଣ୍ଡ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲେ ବି ଆହୁରି ଅଧିକ ସ୍ଥାନରେ ହାତୀଙ୍କୁ ମାରି ପୋତାଯାଇଥିବାର ଅଭିଯୋଗ ଥିବା ବେଳେ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଅନ୍ୟପଟେ ଗୁଳିବିଦ୍ଧ ଦନ୍ତାହାତୀ ଶିକାର ଘଟଣାରେ ୬ଜଣଙ୍କୁ ବନବିଭାଗ ଅଟକ ରଖି ମାରାଥନ୍ ଜେରା ଚଳାଇଛି। ସେମାନଙ୍କଠାରୁ ବାହାର ରାଜ୍ୟର ଲିଙ୍କ ଓ ଅଧିକ କେଉଁମାନଙ୍କର ସଂପୃକ୍ତି ରହିଛି ତାର ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିଛି ବନବିଭାଗ। ବଡମ୍ବା, ନରସିଂହପୁର ଜଙ୍ଗଲରେ ଶିକାର କରାଯାଉଥିବା ହାତୀଙ୍କ ଦାନ୍ତ ଚୋରାଚାଲାଣ ନେଇ ସିଧାସଲଖ କଲିକତା ଲିଙ୍କ୍ ରହୁଛି। ସେଠାରୁ ହିଁ ସ୍ଥାନୀୟ ଶିକାରୀଙ୍କୁ ମୋହରା କରି ମାଫିଆ ଚଳାଇଛନ୍ତି ବେପାର।
ବର୍ଷ ବର୍ଷ ଧରି ଏହି କାରବାର ଚାଲିଆସୁଥିବାବେଳେ ଜଙ୍ଗଲରେ ଯେଉଁଭଳି ପାଟ୍ରୋଲିଂ ହେବା କଥା ତାହା କରାଯାଉନି। କର୍ମଚାରୀ ଅଭାବ ଥିବା କଥା କହି ବନବିଭାଗ ପାଟ୍ରୋଲିଂକୁ ଭୁଲି ଗଲାଣି। ଏପଟେ କିନ୍ତୁ କର୍ମଚାରୀ ଅଭାବ ଦେଖାଇ ମାଳ ମାଳ ହାତୀ ଜଗୁଆଳୀ (ଏଲିଫେଣ୍ଟ ଟ୍ରାକର୍) ନିଯୁକ୍ତ କରାଯାଇଛି। ତେବେ ସରକାର ଗଠନ କରିଥିବା ଏସ୍ଆଇଟି କେବେ ଆଠଗଡ଼ ବନଖଣ୍ଡକୁ ତଦନ୍ତ ପାଇଁ ଆସିବେ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି। ଏପରିକି କିଛି ପରିବେଶପ୍ରେମୀ ଏସ୍ଆଇଟି ଗଠନ କରି ହାତୀ ମୃତ୍ୟୁ ପ୍ରସଙ୍ଗ ଉପରେ ପରଦା ପକାଇବାକୁ ଯୋଜନା ହେଉଥିବା ସଂପର୍କରେ ମଧ୍ୟ ଅଭିଯୋଗ କରିଛନ୍ତି।