ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ତଦନ୍ତ ପରିସରକୁ ଆସିବେ ବଡ଼ ଅଧିକାରୀ!

କଟକ : କଟକ ଆଠଗଡ଼ ବନଖଣ୍ଡରେ ମାଟିତଳୁ ସିରିଜ୍‌ ହାତୀକଙ୍କାଳ ଉଦ୍ଧାର ଘଟଣା ଉଦ୍‌ବେଗର ବିଷୟ ହୋଇଛି। ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ମାଟି ତଳୁ ଦନ୍ତାହାତୀର ଗଳିତ ମୃତଦେହ ଓ କଙ୍କାଳ ଉଦ୍ଧାର କରାଯାଉଛି, ହେଲେ ଦାନ୍ତ କୁଆଡ଼େ ଗଲା ତାର ତଦନ୍ତ କରାଯାଉନି। ଅଧପନ୍ତରିଆ ତଦନ୍ତ କରି ଛାଡ଼ି ଦେଉଛି ଉଭୟ ବନବିଭାଗ ଓ ଏସ୍‌ଟିଏଫ୍‌। କେବଳ ନିଲମ୍ବନ ଓ ଗିରଫଦାରୀରେ ସୀମିତ ରହୁଛି ହାତୀ ମୃତ୍ୟୁ ଭଳି ସଙ୍ଗିନ ଘଟଣା। ଏହିଭଳି ଏକ ପରିସ୍ଥିତିରେ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ଶାଖା(ଡବ୍ଲୁସିସିବି)ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଛାନ୍‌ଭିନ୍‌ ପରେ ଆଗକୁ ବଡ଼ ଅଧିକାରୀ ତଦନ୍ତ ପରିସରକୁ ଆସିବା ନେଇ ଆଲୋଚନା ଜୋର୍‌ ଧରିଛି।

ମିଳିଥିବା ସୂଚନା ଅନୁସାରେ, ଡବ୍ଲୁସିସିବିର ଦି’ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। କେମିତି ହାତୀ ମୃତ୍ୟୁ ହୋଇଛି, କାହିଁକି ବନବିଭାଗ ହାତୀମୃତ୍ୟୁ ସମ୍ପର୍କରେ ସରକାରୀଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଦର୍ଶାଇନଥିଲେ, ଦାନ୍ତ କୁଆଡ଼େ ଗଲା… ଏହିଭଳି ବିଭିନ୍ନ ପାରିପାର୍ଶ୍ବିକ ଦିଗକୁ ନେଇ ତଦନ୍ତ କରିଥିବା ଜଣାପଡ଼ିଛି। ଏହାପ‌ରେ ଟିମ୍‌ ଆଠଗଡ଼ ଡିଏଫ୍‌ଓଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ତା’ଛଡ଼ା, ସ୍ଥାନୀୟ ଗ୍ରାମବାସୀଙ୍କ ସହ ମଧ୍ୟ ହାତୀ କଙ୍କାଳ ସମ୍ପର୍କରେ ଆଲୋଚନା କରିଛନ୍ତି । ଦୁଇଦିନ ହେଲା ଏହି ଟିମ୍‌ ଦିଲ୍ଲୀରୁ ଆସି ଘଟଣାର ତଦନ୍ତ ଚଳାଇଥିବା ବେଳେ ବନବିଭାଗ ପକ୍ଷରୁ ସମସ୍ତ ତଥ୍ୟ ସେମାନଙ୍କୁ ଦିଆଯାଇଥିବା ଜଣାପଡ଼ିଛି।

ଚନ୍ଦ୍ରଗିରି ଜଙ୍ଗଲରେ ଡବ୍ଲୁସିସିବି ଟିମ୍‌ର ଛାନ୍‌ଭିନ୍‌
ଆହୁରି ୭/୮ ସ୍ଥାନରେ ଖୋଳତାଡ଼ ହେଉନି କାହିଁକି?

 

ଅନ୍ୟପକ୍ଷରେ, ହାତୀ କଙ୍କାଳ ମିଳିଥିବା ଘଟଣା ପରିଦର୍ଶନ ପରେ ଆଗକୁ ଏହି ଘଟଣାରେ ବନବିଭାଗ କର୍ମଚାରୀଙ୍କ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ଶାଖାର ଇନ୍‌ସପେକ୍ଟର୍‌ କୌଶିକ ମଣ୍ଡଳ ସୂଚନା ଦେଇଛନ୍ତି। ଏପରିକି, ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ଭିତରକୁ ଆସିପାରନ୍ତି ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ହାତୀ ମୃତ୍ୟୁକୁ ଲୁଚାଇବା ପାଇଁ ଆଠଗଡ଼ ବନଖଣ୍ଡରେ ହାତୀଙ୍କ ମୃତଦେହକୁ ଖା‌ତ ଖୋଳି ପୋତିଦେବା ଭଳି ସଙ୍ଗିନ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସିରିଜ୍‌ ଭାବେ ହାତୀକଙ୍କାଳ ମାଟିତଳୁ ଉଦ୍ଧାର ହେବା ପରେ ଏହି ଘଟଣାରେ ବନବିଭାଗ ୨ଜଣ ରେଞ୍ଜର୍‌, ୬ଜଣ ଫରେଷ୍ଟର୍‌ ଓ ଫରେଷ୍ଟଗାର୍ଡକୁ ନିଲମ୍ବନ କରିଛନ୍ତି। ଏଥିସହ ଘଟଣାରେ ୨ଜଣ ଫରେଷ୍ଟଗାର୍ଡ, ୫ଜଣ ହାତୀସ୍କ୍ବାଡ୍‌ର ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛନ୍ତି। ୨ଜଣ ଫରେଷ୍ଟର୍‌ ଫେରାର୍‌ ଥିବାରୁ ସେମାନଙ୍କୁ ବହିଷ୍କାର ପାଇଁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ୟପଟେ ଆଠଗଡ଼ ପରେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ ଅଧୀନରେ ଯାଉଥିବା ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ଜିଲିଣ୍ଡା ବନ୍ୟପ୍ରାଣୀ ରେଞ୍ଜ୍‌ରୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିବା ଘଟଣା ଏବେ ପୁଣି ହାତୀବଂଶର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ, ଆଠଗଡ଼ ବନଖଣ୍ଡ ବଡ଼ମ୍ବା ଓ ନରସିଂହପୁର ରେଞ୍ଜ୍‌ରେ ଆହୁରି ୭/୮ଟି ସ୍ଥାନରେ ହାତୀଙ୍କୁ ମାରି ପୋତାଯାଇଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ଉପରେ ଠୋସ୍‌ ପ୍ରମାଣ ନଥିବା ଦର୍ଶାଇ ବନବିଭାଗ ଏହାର ଖୋଳତାଡ଼ କରୁନି। ଏହାକୁ ନେଇ ବି ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସମ୍ବନ୍ଧିତ ଖବର