ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏଲିଫ୍ୟାଣ୍ଟ ସ୍କାର୍ଡ ସଦସ୍ୟ ଗୁରୁତର

ଢେଙ୍କାନାଳ: ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଜି ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡର ସଦସ୍ୟ ଭାବେ କାର୍ଯ୍ୟରତ ଛବିନାୟାଣ ପାଲ(୫୨) ଆଜି ପେଟ୍ରୋଲିଂ କରୁଥିଲେ । ଅପରାହ୍ନ ୫ଟାରେ ପଂଚପଡାର ବେଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଂଚଳରେ କେହି ଦୁର୍ବୃତ୍ତ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ୧୧ କେଭି ବିଦ୍ୟୁତ୍ ତାରରେ ହୁକ୍ ପକାଇ ବିଛାଇଥିଲା । ଜଙ୍ଗଲରେ ଫାଶ କିମ୍ବା ବିଦ୍ୟୁତ୍ ତାର ବିଛାଯାଇଥିବା ସଂପର୍କରେ ହାତୀ ସ୍କ୍ୱାର୍ଡ କର୍ମଚାରୀମାନେ ଯାଞ୍ଚ କରୁ୍‌ଥିବା ବେଳେ ସେଠାରେ ପୂର୍ବରୁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଶ୍ରୀ ପାଲ୍‌ଙ୍କ ହାତ ବାଜିଯାଇଥିଲା । ଫଳରେ ସେ ଛିଟିକି କିଛି ଦୂରରେ ପଡିଥିଲେ । ସେଠାରେ ଉପସ୍ଥିତ ଅନ୍ୟକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ଶ୍ରୀ ପାଲ୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କର ବାମ ହାତରେ ଗଭୀର କ୍ଷତ ହେବା ସହ ପୋଡିଯାଇଛି ଏବଂ ଡାହାଣ ହାତରେ ମଧ୍ୟ ଆହାତ ଲାଗିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର