ଢେଙ୍କାନାଳ : ବୋମା ବିସ୍ଫୋରଣରେ ଛାତ ଉଡ଼ିଲା, କାନ୍ଥ ଗଳିଲା, ହାତୀ ସ୍କ୍ବାଡ ସଭ୍ୟ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ଗଣେଶ ବଜାରସ୍ଥିତ ଫରେଷ୍ଟ କଲୋନିର ଏକ କ୍ବାର୍ଟର୍ସରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ହୋଇଛି। ହାତୀ ଘଉଡିବା ପାଇଁ ରଖାଯାଇ ବୋମା ଫୁଟିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ତାହା ଅଞ୍ଚଳବାସୀଙ୍କ ସମେତ ସହରରେ ଆତଙ୍କ ଖେଳାଇ ଦେଇଛି। ଏଥିରେ ବନ ବିଭାଗର ଜଣେ ହାତୀ ସ୍କ୍ବାଡ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ଘରର ଆଜବେଷ୍ଟସ୍‌ ଛପର ଉଡିଯାଇ ଖଣ୍ଡେ ଦୂରରେ ପଡ଼ିଥିବାବେଳେ କାନ୍ଥ ଗୁଡିକ ଫାଟି ଗଳିପଡିଛି।

ସୂଚନା ଅନୁଯାୟୀ, ଗଣେଶ ବଜାର ବନ ବିଭାଗ କଲୋନି ସ୍ଥିତ ଏକ ପରିତ୍ୟକ୍ତ କ୍ବାର୍ଟର୍ସ (ନମ୍ବର–୧୦)ରେ ଆଜି ଦିନ ୧୦.୪୦ ମିନିଟ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସଂପୃକ୍ତ କ୍ବାର୍ଟର୍ସର ଆଜ୍‌ବେ‌ଷ୍ଟସ୍‌ ଛାତ ଉଡାଇନେଇଥିଲା। ଏହି ଛାତ ୧୦୦ ଫୁଟ ଦୂରରେ ରାସ୍ତା ଉପରେ ଏଣେ ତେଣେ ଖଣ୍ତଖଣ୍ତ ହୋଇ ପଡିଥିଲା। ସେହି କ୍ବାର୍ଟର୍ସର କାନ୍ଥ ଫାଟିଯାଇ ଖସିପଡିଥିବା ବେଳେ ଅନ୍ୟ କାନ୍ଥ, ଆଖପାଖ ଘରର କାନ୍ଥ ମଧ୍ୟ ଫାଟିଯାଇଛି। ଏହି ବିସ୍ଫୋରଣରେ ହାତୀସ୍କ୍ବାଡ଼ କର୍ମଚାରୀ ସୁଜିତ କୁମାର ସାମଲ(୪୨) ଗୁରୁତର ଭାବେ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଯୁବକଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ଗଶେଣ ବଜାର ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଥିବା ଫରେଷ୍ଟ କଲୋନି ଭିତରେ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ଏତେ ସଂଖ୍ୟାରେ ବୋମା ରଖାଯିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର