ହେମଗିର: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହେମଗିର ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆ(ଛୋଟ ପୋଖରୀ)ରେ ଏକ ଛୁଆ ହାତୀ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ ବୋଲି କୁହାଯାଉଛି। ଗାଁ ପାଖ ସଂଲଗ୍ନ ଜଙ୍ଗଲରୁ ଏକ ୬/୭ ଜଣିଆ ହାତୀପଲ ଗତ ରାତିରେ ଚାଷଜମିରେ ପଶିଥିଲେ। ଛୁଆହାତୀଟି ଗାଡ଼ିଆରେ ପଡ଼ିଯାଇ କାଦୁଅରେ ଫସି ଯାଇଥିଲା। ସେହି ଛୁଆହାତୀର ମା’ ଓ ଅନ୍ୟ ହାତୀମାନେ କାଦୁଅରେ ଫସିଥିବା ତାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟ ମଧ୍ୟରେ ଛୁଆହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଏହି ହାତୀମାନେ କିଛି କ୍ଷୟକ୍ଷତି କରିନାହାନ୍ତି।

Advertisment

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୁଆହାତୀର ମୃତ ଦେହକୁ କାଦୁଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଉଥିବା ଜଣାଯାଇଛି। ଏଭଳି ଘଟଣା ହେମଗିର ବନଖଣ୍ଡ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ଏହି ହେମଗିର ବନଖଣ୍ଡ ଅଞ୍ଚଳରେ ଟ୍ରେନରେ କଟି ଏକ ମାଈ ହାତୀର ପ୍ରାଣହାନି ଘଟିଥିଲା। ହେମଗିର ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କୁ ନିୟମିତ ଦେଖିବାକୁ ମିଳୁଥିଲେ ବି ସେମାନେ ସୁରକ୍ଷିତ ଥିବା କୁହାଯାଉଛି। ଏହି ଅଭାବନୀୟ ଘଟଣା ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।