ବାରିପଦା/କପ୍ତିପଦା: ହାତୀଦାନ୍ତ ଚୋରାଚାଲାଣରେ ସମ୍ପୃକ୍ତ ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛନ୍ତି ଶିମିଳିପାଳ ଏସ୍‌ଟିଆର୍ ଟିମ୍‌ ଓ କପ୍ତିପଦା ବନ ବିଭାଗ। ମିଳିତ ଚଢ଼ଉ ବେଳେ ୫ଟି ହାତୀଦାନ୍ତ ଜବତ କରିବା ସହିତ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୭ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁଯାୟୀ; କପ୍ତିପଦା ଥାନା ଶରତ ଥାନା ଅନ୍ତର୍ଗତ ରଜତନଗର ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ ହାତୀଦାନ୍ତ ବିକ୍ରି ପାଇଁ ମୁଲଚାଲ୍‌ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ଏସ୍‌ଟିଆର୍‌ ଟିମ୍‌। ପରେ କପ୍ତିପଦା ବନ ବିଭାଗ ସହିତ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଘଟଣାସ୍ଥଳରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ।

Advertisment

ସେମାନଙ୍କ ପାଖରୁ ୫ଟି ହାତୀଦାନ୍ତ ଓ ୨ଟି ବାଇକ୍‌ ଜବତ ହୋଇଛି। ପରେ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟାଳୟ ନେଇ ଜେରା କରାଯାଉଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ; କପ୍ତିପଦା ଥାନା ବିଦ୍ୟାଧରନଗର ଗାଁର ନଉରି ସିଂ (୭୨), ମହୁଲବରେଇର ବୀରଭଦ୍ର ସିଂ (୪୨), ମହୁଲପଙ୍ଖାର ନିତ୍ୟାନନନ୍ଦ ଗାଗରାଇ(୨୭), ଉଦଳା ଥାନା ଗୋବରସୋଲ ଗାଁର ସାମଲ ସିଂ (୩୫), ବାଲେଶ୍ବର ଜିଲ୍ଲା ଔପଦା ଥାନା ବେତେଇ ଗାଁର ସୁନିଲ କୁମାର ହୋ (୨୯), ବରହମ୍‌ପୁର ଥାନା ଜମୁନା ଗାଁର ନିରଞ୍ଜନ ବେହେରା (୪୬) ଓ କାଦୁଆଣିର ଅଜୟ ବାରିକ(୪୪)। ଏହି ରାକେଟ୍‌ରେ ଆଉ ୩-୪ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ ଧରିବାପରେ ହାତୀ ଶିକାର ଓ ହାତୀଦାନ୍ତ ବିକ୍ରି ବାବଦ ସବିଶେଷ ସୂଚନା ଦିଆଯିବ ବୋଲି କହିଛନ୍ତି ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶଚାନ୍ଦ ଗୋଗିନାନୀ।