ବାଲିଶଙ୍କରା: ସୁନ୍ଦରଗଡ଼ ରେଞ୍ଜ ଅଧିନସ୍ଥ ରାଉଳଡେଗା ସେକ୍ସନ ଅନ୍ତର୍ଗତ ତେଲିଯୋର, ସଲିହାପଡା, ଭଗତପଡା, ମହୁଲଗାଁ, ହେଣ୍ଡୁଆଶୁଖା, ରାମପୁର, ଗଇକନପାଲି, ଗଣ୍ଡାମରା ଆଦି ଗାଁରେ ସନ୍ଧ୍ୟା ହେଲା ମାତ୍ରକେ ହାତୀପଲଙ୍କ ଉପଦ୍ରବ ଗତ ୨୨ ତାରିଖରୁ ଲାଗିରହିଛି। ହାତୀପଲଙ୍କ ଉପଦ୍ରବ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେଲିଯୋର, ମହୁଲଗାଁ ନିକଟରେ ସିରମୁଣ୍ଡା ଜଙ୍ଗଲରେ ହାତୀ ଅଛି। ସେଠାରେ ଖାଇବା, ରହିବା, ପାଣିର ସବୁ ଭରପୁର ଥିବାରୁ ରାତିରେ ଘର ଭାଙ୍ଗି ଧାନ ଚାଉଳ ସହ ଘରୋଇ ଉପକରଣ ମାଡ଼ି ଦଳି ସର୍ବନାଶ କରି ଦେଇଥିବାବେଳେ ସକାଳରେ ପୁଣି ସେହି ଜଙ୍ଗଲରେ ରହିଯାଉଛି।

Advertisment

ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଯେତେ ଚେଷ୍ଟାକଲେ ମଧ୍ୟ ହାତୀ ଅଂଚଳ ଛାଡ଼ି ଯାଉନାହିଁ। ଏହାର ପ୍ରତିବାଦ କରି ତେଲିଯୋର, ମହୁଲଗାଁ ଗ୍ରାମବାସୀ ଆଜି ରାସ୍ତାରୋକ କରିଥିଲେ। ପରେ ବନ ଅଧିକାରୀ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଗ୍ରାମବାସୀ ହଟିଥିଲେ। ଅନ୍ୟ ପକ୍ଷରେ ପୁଣି ଆଜି ସନ୍ଧ୍ୟାରେ ବାଲିଶଙ୍କରା ସରବାହାଲଠାରେ ଜଳଧର ମାଝୀ (କାଲୋ)ଙ୍କ ଘରକୁ ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ଜଳଧର ମାଝୀ(କାଲୋ) ବର୍ତ୍ତିଯାଇଥିଲେ। ହାତୀ ଧାନ ଚାଉଳ ଖାଇ ଘରଦ୍ୱାର ଭାଙ୍ଗି କ୍ଷୟକ୍ଷତି ହୋଇଥିବା ହିତାଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।