ଜଗତପୁର, ଚୌଦ୍ବାରରେ ହାତୀ ଆତଙ୍କ: ଆକ୍ରମଣରେ ୨ ମୃତ, ୩ ଆହତ

ମହାନଦୀରୁ ମିଳିଲା ହାତୀର ମୃତଦେହ

କଟକ-ଜଗତପୁର: ଜଗତପୁର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରୁ ବଣୁଆ ହାତୀଙ୍କ ଉତ୍ପାତ ଜାରି ରହିଛି। ହାତୀଙ୍କ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଗତପୁର ସହରାଞ୍ଚଳ, ଚୌଦ୍ବାର ଓ ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ହାତୀଙ୍କ ଆତଙ୍କ ଜାରି ​ରହିଛି। ବନବିଭାଗ ଓ ଜଗତପୁର ପୁଲିସ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ହାତୀ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ କେବଳ ଗୋଟିଏ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଧରାଯାଇଛି। ଆଉ ଏକ ହାତୀର ମୃତଦେହ ମହାନଦୀରୁ ମିଳିଥିବା ବେଳେ ଅନ୍ୟ ୨ଟି ମିଳି ପାରିନାହିଁ। ଆଜି ରାତିରେ ଆଉ ଏକ ହାତୀ ଚୌଦ୍ବାର ଓଟିଏମ୍‌ ପରିସରରେ ଥିବା ସୂଚନା ମିଳିଛି। ସାଧାରଣ ଲୋକେ ସତର୍କ ରହିବାକୁ ଓ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ହାତୀଙ୍କ ଉତ୍ପାତ ଯୋଗୁଁ ଜଗତପୁର ଓ ଚୌଦ୍ବାର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଗତପୁର ପୁରୁଣା ଶିଳ୍ପାଞ୍ଚଳର ବିଧବା କମଳି ନାୟକ(୬୫)ଙ୍କ ନିଜ ଗ୍ରାମ ଭୈରପୁର। ପୁରୁଣା ଶିଳ୍ପାଞ୍ଚଳ ବସ୍ତିରେ ସେ ନିଜ ଝିଅ-ଜ୍ୱାଇଁଙ୍କ ଘରେ ରହୁଥିଲେ। ଗତକାଲି ଭୋର ୪ଟା ସମୟରେ ସେ ରାସ୍ତାକଡ଼ ଗଛରୁ ଫୁଲ ତୋଳି ଫେରୁଥିବା ବେଳେ ପଛରୁ ଏକ ହାତୀ ବହାରି ଆସି ତାଙ୍କୁ ଶୁଣ୍ଢରେ ଟେକି ରାସ୍ତାରେ କଚାଡ଼ି ମାରିଦେଇଥିଲା। ଅନ୍ୟ ଜଣେ ମୃତକ ହେଲେ, କଟକ ସହରର ଆନନ୍ଦ ବେହେରା(୭୦)। ଆନନ୍ଦ ନିଜ ସ୍କୁଟିରେ ପ୍ରତିଦିନ ପରି କଟକରୁ ଜଗତପୁର ଷ୍ଟେସନ ବଜାରକୁ ଆସିଥିଲେ। ସେଠାରେ ଚା ପିଇସାରି କ୍ଷୀର ପ୍ୟାକେଟ୍‌ ଧରି ଘରକୁ ଫେରୁଥିବା ବେଳେ ଷ୍ଟେସନ ପାର୍ଶ୍ଵ ଜଙ୍ଗଲିଆ ସ୍ଥାନରୁ ହଠାତ୍‌ ହାତୀ ବାହାରି ତାଙ୍କୁ ଦଳିଚକଟି ମାରିଦେଇଥିଲା। ଏହିସମୟରେ ଆଖପାଖରେ ଥିବା ଲୋକେ ଛତ୍ରଭଙ୍ଗ ଦେଇ ଏଣେତେଣେ ପ୍ରାଣ ବିକଳରେ ଦୌଡ଼ିଥିଲେ। ସେମାନଙ୍କ ଭିତରୁ କେଶବ ବେହେରା ନାମଙ୍କ ଜଣେ ବୃଦ୍ଧଙ୍କୁ ହାତୀ ଆକ୍ରମଣ କରିଥିଲା। କିଛିଦୂରରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର୍‌ ମୋବାଇଲ୍‌ରେ ହାତୀର ଫଟୋ ଉଠାଇବା ସମୟରେ ହାତୀ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଆକ୍ରମଣ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।

ଏହାପରେ ହାତୀଟି ପଣ୍ଡାସାହି, ନିମପୁର, ନଜରପୁର ଏବଂ ସରସାହି ବସ୍ତି ଅଞ୍ଚଳରେ ଉତ୍ପାତ କରିଥିଲା। ଭୟ​ରେ ରାସ୍ତା ଉପରେ ଲୋକେ ଛାଡ଼ି ପଳାଇଥିବା ଦୁଇଚକିଆ, ଚାରିଚକିଆ ଗାଡ଼ି ସହ ଘର ଓ ପାଚେରି ଭାଙ୍ଗି ବ୍ୟାପକ କ୍ଷତି ଘଟାଇଥିଲା। ଲୋକଙ୍କ ହୋ’-ହାଲ୍ଲାରେ ହାତୀଟି ଜଗତପୁର ନୂତନ ଶିଳ୍ପାଞ୍ଚଳ ପରିସରକୁ ମଧ୍ୟକୁ ପ୍ରବେଶ କରି ଅନ୍ନପୂର୍ଣ୍ଣା ଗୋଶାଳା ପରିସରରେ କିଛି ସମୟ ଘଣ୍ଟାଚକଟା କରିବା ପରେ ପୁରୁଣା ଇଡ୍‌କୋ ଅଫିସ ପାର୍ଶ୍ଵ ଜଙ୍ଗଲିଆ ସ୍ଥାନରେ ଲୁଚି ରହିଥିଲା। କିଛିସମୟ ପରେ ସେଠାରୁ ବାହାରି ଶିଳ୍ପାଞ୍ଚଳ ରାସ୍ତାଦେଇ ଖଇରା ବ୍ରିଜ୍‌ ଆଡକୁ ଗଲାବେଳେ ସୁନାଖଳା ଅଞ୍ଚଳର ବସନ୍ତ ପରିଡ଼ାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ହାତୀ କେନ୍ଦ୍ରାପଡ଼ା କେନାଲ୍‌ ପାର ହୋଇ ଅଣ୍ଡେଇସାହି ଆଡକୁ ପଳାଇ ଯାଇଥିଲା। ରାତି ପ୍ରାୟ ୮ଟା ସମୟରେ ବନ ବିଭାଗ ପକ୍ଷରୁ ଅଣ୍ଡିରା ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି।

ସେପଟେ, ମହାନଦୀର ଯୋବ୍ରା ଆନିକଟର ୧୪ ନମ୍ବର ଫାଟକରୁ ଅନ୍ୟ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ହାତୀର ମୃତଦେହକୁ ବନବିଭାଗ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ରାତିରେ ଚୌଦ୍ବାର ଓଟିଏମ୍‌ କାରଖାନା ପରିସରରେ ଏକ ହାତୀ ପଶିଥିବା ଦେଖାଯାଇଛି। ଏହାକୁ ନେଇ ଚୌଦ୍ବାର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଆଜିର ଉଦ୍ଧାର କାର୍ଯ୍ୟରେ କଟକ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍‌ ଡିଏଫ୍‌ଓ ଅଜିତ ଶତପଥୀ, ଚନ୍ଦକା ଡିଭିଜନ୍‌ ଡିଏଫ୍‌ଓ ମହମ୍ମଦ ଜମିଲ, କଟକ ଡିଏଫ୍‌ଓ ସଞ୍ଜୟ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଥିଲେ। ସେପଟେ, ବିରୂପା ପଠାରେ ଥିବା ଛୁଆ ହାତୀଟି ବିରୂପା ନଦୀ ପାର ହୋଇ ଚୌଦ୍ୱାର ଅଞ୍ଚଳକୁ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର