ଓଏମ୍‌ସି କଲୋନିରେ ହାତୀ ଆତଙ୍କ

କାଳିଆପାଣି: ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଟାଉନସିପ୍ କଲୋନିରେ ଆଜି ରାତିରେ ଏକ ହାତୀ ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ରାତି ପ୍ରାୟ ୮ଟାରେ କାଳିଆପାଣି ହାଇସ୍କୁଲ ସମ୍ମୁଖ ଜଙ୍ଗଲରେ ହାତୀ ଦେଖାଯାଇଥିଲା। କୁକୁରମାନେ ଭୁକିବା ଦେଖି ସ୍କୁଲ୍‌ର ନିରାପତ୍ତାରକ୍ଷୀ ଉବାନ ମାଝି ଜଙ୍ଗଲ ଆଡ଼କୁ ଯିବାରେ ହାତୀ ତାଙ୍କୁ ଗୋଡ଼ାଇ ଆସିଥିଲା। ଡମଶାଳ ନାଳ ପଟୁ ହାତୀଟି ବାଟବଣା ହୋଇ କଲୋନିକୁ ପଶି ଆସିଛି।

ବନ କର୍ମଚାରୀ ଓ ଓଏମ୍‌ସି ନିରାପତ୍ତାରକ୍ଷୀ ସ୍କୁଲ ପାଖ ଟେଲି ଟାୱାର ଉପରେ ଚଢ଼ି ହାତୀର ଗତିବିଧି ଲକ୍ଷ୍ୟ କରିଥିଲେ। ବନପାଳ ନରେଶ କୁମାର ଟୁଡ଼ୁ ଓ ବନରକ୍ଷୀ ଇପସିତରାୟ ନାଏକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ଉଦ୍ୟମ ଜାରି ରଖିଛନ୍ତି। ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ସୁକିନ୍ଦା, ଟମକା, କଅଁସ ଓ ରାଁସୋଳ ସେକ୍ସନ ପକ୍ଷରୁ ବନ କର୍ମଚାରୀମାନେ ବାଣ ଫୁଟାଇ ଓ ନିଆଁହୁଳା ଧରି ରାତି ତମାମ୍‌ କଲୋନିରେ ପହରା ଦେବାର ବ୍ୟବସ୍ଥା ହୋଇଛି। ରାତି ୯ଟା ପରେ ଏହି ଅଞ୍ଚଳରେ ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ ସରବରାହ କାଟି ଦିଆଯାଇଛି। ସ୍କୁଲ୍‌ ପାଖାପାଖି ଥିବା କଲୋନିବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର