ଶ୍ରୀପୁରରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଗିଗିନା ପଞ୍ଚାୟତ ଅନ୍ତର୍ଗତ ଶ୍ରୀପୁର ଗ୍ରାମ ନିକଟକୁ ଶନିବାର ରାତିରୁ ୨ଟି ହାତୀ ଆସିଛନ୍ତି। ଏମାନେ ଅଞ୍ଚଳରେ ଅନେକ ଫସଲ ନଷ୍ଟ କରିଛନ୍ତି। ରବିବାର ସକାଳୁ ଏମାନଙ୍କୁ ଘଉଡ଼ାଇବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ତଥାପି ହାତୀମାନେ ରବିବାର ରାତି ଯାଏ ଅଞ୍ଚଳ ଛାଡ଼ି ଯାଇ ନଥିବା ଦେଖିବାକୁ ମିଳିଥିଲା। ଏମାନଙ୍କୁ ଦେଖିବା ପାଇଁ ରବିବାର ଦିନ ତମାମ ଲୋକଙ୍କ ଭିଡ଼ ଲାଗି ରହିଥିଲା। ବାଣ ‌ଫୁଟାଇ ଘଉଡ଼ା‌ଉଥିବାରୁ ହାତୀମାନେ କିଛି ଲୋକଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିବା ଦେଖିବାକୁ ମିଳିଥିଲା।

ପ୍ରକାଶ ଯେ, ଶ୍ରୀପୁର ଗାଁ ନିକଟରେ ପ୍ରବାହିତ ସାନ୍ଦୁଲ ନଦୀ କୂଳରେ ଥିବା ନୀଳଗିରି ଜଙ୍ଗଲକୁ ଶନିବାର ରାତିରେ ଉକ୍ତ ଦୁଇ ହାତୀ ଆସିଥିଲେ। ରବିବାର ସକାଳୁ ଗାଁର ରାଜୁ ରଣା ହାତୀମାନଙ୍କୁ ଦେଖିବା ପରେ ଅନ୍ୟମାନଙ୍କୁ କହିଥିଲେ। ଫଳରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ଶ୍ରୀପୁର ଗ୍ରାମ ସମେତ ନଦୀ କୂଳରେ ଥିବା ରାକ୍ସି ଓ ଲମସିଂହା ଗ୍ରାମର ଶହ ଶହ ଲୋକ ନଦୀର ଉଭୟ ପାର୍ଶ୍ୱରେ ରହି ହାତୀଙ୍କୁ ଦେଖୁଥିଲେ। ହୋ ହଲ୍ଲା ଓ ଫୋଟକା ଫୁଟାଇବାରୁ ହାତୀ ଦୁଇଟି ଏପଟେ ସେପଟେ ଧାଁ ଦୌଡ଼ କରି ଲୋକଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଶ୍ରୀପୁର ଗ୍ରାମର ଆଲୋକ ବାଗଙ୍କୁ ହାତୀ ଦୌଡ଼ାଇବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ହାତୀମାନେ ନଦୀ କୂଳରେ ଥିବା ଉପେନ୍ଦ୍ର ଭୋଇଙ୍କ ନୀଳଗିରି ଗଛ, ଭାଗୀରଥି ପଧାନଙ୍କ ହରଡ଼ ଫସଲ, କୀର୍ତ୍ତନ ପଧାନଙ୍କ ଆମ୍ୱଗଛ ଓ ଅନେକ ଜମିରେ ବୁଣା ଯାଇଥିବା ମୁଗ ନଷ୍ଟ କରି ଦେଇଛନ୍ତି। ଜଙ୍ଗଲ ବିଭାଗ ଓ ପଲମ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିଲେ।

ସୂଚନା ଥାଉକି ଏହି ଅଞ୍ଚଳକୁ ଜଙ୍ଗଲି ହାତୀ ପୂର୍ବରୁ କେବେ ଆସି ନଥିଲେ। ଏଣୁ ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ମ.ରାମପୁର ରେଞ୍ଜର କେଶବ ମାଝୀ, ଫରେଷ୍ଟର ଦୀପକ ସା, ନର୍ଲା ଫରେଷ୍ଟର ଭବାନୀ ନାଏକ, ରୁପ୍ରାରୋଡ଼ ଫରେଷ୍ଟର ଯୁଧିଷ୍ଠିର ଜାଲ, କଶୃପଡ଼ା ଫରେଷ୍ଟର ଯଶୋବନ୍ତ ନାଏକ, କର୍ମଚାରୀ ତପନ ବେହେରା, ନିଗମ ସାହୁ, ଫକିର ବିଶ୍ୱାଲ, ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଓ ବଜରଗଡ଼ ଜଙ୍ଗଲ କମିଟି ସଭାପତି ଲକ୍ଷ୍ମଣ ଭୋଇ ପ୍ରମୁଖ ଘଟଣାସ୍ଥଳରେ ଜଗି ରହିଛନ୍ତି। ହାତୀ ଥିବାରୁ ଏହି ଅଞ୍ଚଳର ବିଦ୍ୟୁତ୍ ସରବରାହ ମଧ୍ୟ ବିଚ୍ଛିନ୍ନ କରାଯାଇଛି। ଅମଳ ହୋଇଥିବା ଧାନ ଖଳାଗୁଡ଼ିକରେ ଓ ପାଚିଲା ଧାନ ଜମିରେ ଥିବାରୁ ଚା‌ଷୀମାନଙ୍କ ଚିନ୍ତା ବଢ଼ିଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର