ଅନୁଗୁଳ: ପୂର୍ବରୁ ଜଙ୍ଗଲ ପାଖ ଗାଁରେ ହାତୀ ଆତଙ୍କ ଥିଲା। ପରେ ଜନବସତି ମୁହାଁ ହୋଇଥିଲେ ହାତୀପଲ। ଆଉ ଏବେ ସହର ତଳି ଗାଁରେ ପଶି ଲୋକଙ୍କୁ ମାରିଲେଣି। ଗତ ରାତିରେ ସହର ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ା ଗାଁରେ ହାତୀ ଦୁଇଜଣଙ୍କୁ ଦଳି ଦେବା ପରେ ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହାତୀ ଘଉଡ଼ାଇବା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା ବେଳେ ଚଳିତ ବର୍ଷ ହାତୀ ପାଦ ତଳେ ଅନୁଗୁଳରେ ୩୨ ଜୀବନ ଗଲାଣି। ଅନୁଗୁଳ ସହର ଉପକଣ୍ଠ ଶରଧାପୁର ଗାଁରେ ଗୁରୁ ନାୟକ(୧୮) ଗୁରୁବାର ରାତି ପ୍ରାୟ ୧୦ଟା ବେଳକୁ ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିଲା ବେଳେ ଏକ ଗୋଠଛଡ଼ା ଦନ୍ତା ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଅନ୍ଧାର ରାତିରେ ହାତୀ ଥିବା ଗୁରୁ ଜାଣି ପାରି ନଥିଲେ। ହାତୀ ତାଙ୍କୁ ଟେକି ନେଇ କଚାଡ଼ି ଦୁଇ ଫାଳ କରି ଦେଇଥିଲା। ପରେ ଛେଳିଆପଡ଼ା ଗାଁ ଆଡ଼କୁ ମାଡ଼ି ଯାଇଥିଲା ରକ୍ତମୁଖା ଦନ୍ତା। ଛେଳିଆପଡ଼ା ବୁଢ଼ାପଦା ସାହିର ଅଇଁଠୁ ପ୍ରଧାନ (୫୫)ଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିଥିଲା। ବାଡ଼ିରେ ଷଣ୍ଢ ପଶିଛି ଭାବି ଅଇଁଠୁ ଏକ ଠେଙ୍ଗା ଧରି ଗଲାବେଳକୁ ଦନ୍ତା ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତ‌ାଙ୍କର ଜୀବନ ଚାଲିଯାଇଥିଲା।

Advertisment

ଗୋଟିଏ ରାତିରେ ଦୁଇଜଣଙ୍କୁ ମାରିବା ପରେ ଦନ୍ତା ସହର ତଳି ଗାଁପାଖରେ ଡେରା ପକାଇଥିଲା। ଏହାକୁ ନେଇ ଲୋକଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଥିଲା। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସେ ସେଠାରୁ ଆଉ ହଲି ନ ଥିଲା। ଶରଧାପୁର ଜଙ୍ଗଲ ପାଖରେ ଏହି ହାତୀ ଆଜି ଦିନ ତମାମ ରହିଥିଲାବେଳେ ବନବିଭାଗ ତା ଉପରେ ସତର୍କ ନଜର ରଖିଛି। ଏପଟେ ନାଲ୍‌କୋନଗର ପାଖରେ ବେନ୍ତପୁର-ଗାଡ଼ରଖାଇ ଜଙ୍ଗଲରେ ଏକ ୪୪ ଟିକିଆ ହାତୀପଲ ଥିବା ଫରେଷ୍ଟର ଗତିକୃଷ୍ଣ ବେହେରା କହିଛନ୍ତି। ରାତିରେ ସେମାନେ ଗାଁ’ମୁହାଁ ହେବା ଆଶଙ୍କା ଥିବାରୁ ଆଖପାଖ ଗାଁ ଶୂନ୍‌ଶାନ୍‌ ହୋଇଯାଇଛି।

ଚଳିତବର୍ଷ ଆରମ୍ଭ‌ରୁ ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ଠୋସ୍‌ ପଦକ୍ଷେପ ନିଆଯାଉନି। ଗତ ଜାନୁଆରି ୭ରେ ଗୋଟିଏ ମାଖନା ହାତୀ ୪ ଜଣଙ୍କୁ ଏବଂ ଏପ୍ରିଲ ୨୪ରେ ଦନ୍ତା ବଡ଼କନ୍ତକୁଳର ୨ ମହିଳାଙ୍କୁ ଦଳି ମାରିଥିଲା। ଜୁନ୍‌ ୨୦ ତାରିଖରେ ଏକ ଗୋଠଛଡ଼ା ଦନ୍ତା ବନ୍ତଳା ରେଞ୍ଜରେ ଦୁଇଜଣଙ୍କୁ ଓ ଅଗଷ୍ଟ ୨୪ ତାରିଖରେ ଦୁଇଜଣଙ୍କୁ ଫାଡ଼ି ଦେଇଥିଲା। ଗତକାଲି ପୁଣି ୨ ଜଣଙ୍କୁ ମାରିବା ସହ ଚଳିତବର୍ଷ ଏଯାବତ୍ ୩୨ ଜଣଙ୍କ ଜୀବନ ହାତୀ ପାଦ ତଳେ ଗଲାଣି। ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଉଭୟ ଶରଧାପୁର ଓ ଛେଳିଆପଡ଼ା ଗାଁରେ ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରି ମୃତଦେହ ଛାଡ଼ି ନ ଥିଲେ। କ୍ଷତିପୂରଣ ପ୍ରଦାନ ସହିତ ହାତୀ ଘଉଡ଼ାଇବା ପ୍ରତିଶ୍ରୁତି ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ପୂର୍ବରୁ ୨୦୧୮-୧୯ରେ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୧୯-୨୦ରେ ୨୪ ଜଣ , ୨୦୨୦-୨୧ରେ ୧୪ ଜଣ ଓ ୨୦୨୧-୨୨ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆହତ ମହିଳା ମୃତ

ପାଟଣା/ଘଟଗାଁ/ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମରେ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୋଇପାଣି ଗ୍ରାମର ତୁଳସୀ ମହାରଣା (୪୫)। ଗତ ୪ ତାରିଖରେ ତୁଳସୀ ଡୁମୁରିଆ ସାପ୍ତାହିକ ହାଟକୁ ଯାଇଥିଲେ। ଅପରାହ୍‌ଣରେ ହାଟ ସାରି ଘରକୁ ଫେରୁଥିବା ବେଳେ ପୋଇପାଣି ଗାଁ ସୀମାନ୍ତରେ ସେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ବନପାଳ ପିଅନ ନ‌ା‌ଏକଙ୍କ ସହଯୋଗକ୍ରମେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା‌ଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କୁ ପଚାରିବାରୁ ମୃତଦେହ ଆଣିବା ପାଇଁ ପରିବାର ଲୋକେ କଟକ ଯାଇଛନ୍ତି। ମୃତଦେହ ଗାଁରେ ପହଞ୍ଚିବା ପରେ ବନ ବିଭାଗ ପକ୍ଷରୁ ତତ୍କାଳ ତାଙ୍କ ପରିବାର ଲୋକଙ୍କୁ ୬୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ସମସ୍ତ କାଗଜପତ୍ର ଜମା କରିବା ପରେ ବାକି ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ସର୍ଦ୍ଦାର କହିଛନ୍ତି।