ବଢ଼ି ଚାଲିଛି ଜଙ୍ଗଲୀ ହାତୀପଲଙ୍କ ଆତଙ୍କ; ଦିନରେ ଜଙ୍ଗଲରେ,ରାତିରେ ବିଲରୁ ଫସଲ ଖାଉଛନ୍ତି

ଚିଲିକା: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଟାଙ୍ଗୀ ରେଂଜରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀପଲଙ୍କ ଆତଙ୍କରାଜ୍‌। ଦିନ ବେଳା ଏହି ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି। ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି ବିପନ୍ନ ହେଉଛି। ବାତ୍ୟା ‘ଜୱାଦ’ ପ୍ରଭାଵରେ ଚାଷୀର ସବୁ କିଛି ଫସଲ ଉଜୁଡି ଯାଇଛି। ହେଲେ ଚାଷୀ ଯାହା କିଛି ଧାନ ଫସଲ ବଞ୍ଚିବାର ଆଶା ରଖିଥିଲା, ତାହାକୁ ହାତୀପଲ ଟାର୍ଗେଟ କରୁଛନ୍ତି। ହାତୀପଲର ଆତଙ୍କରାଜ୍‌ ଯୋଗୁଁ ଚାଷୀ ହତାସ ହୋଇଛି।
ହାତୀପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ସଂଧ୍ୟ୍ୟା ହେଲେ ବାହାରି ଭଜ‍ାଗଡ ଗହୀରରେ ବ୍ୟାପକ ଫସଲ ହାନି କରୁଛନ୍ତି। ଏହା ପରେ ହାତୀପଲ ସେଠାରୁ ବାହାରି ଟାଙ୍ଗୀ ଗହୀର, ତାରିମୀ ଗହୀରରେ ପଶି ଧାନ ଫସଲ ଖାଉଛନ୍ତି। ବାଲିନାସୀ ଗହୀରରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀ ମାନଙ୍କ ନିକଟରେ ଟାଙ୍ଗୀ ବନ ବିଭାଗର ଟିମ୍ ସହ ବନ୍ୟ ପ୍ରାଣୀ ବିଭ‍ାଗର ଟିମ୍ ରହି ଧନ-ଜୀବନକୁ ସୁରକ୍ଷା ଦେଉଛନ୍ତି। କୌଣସି ଅଘଟଣ ଆଶଙ୍କାରେ ବା ଗାଁ ଭିତରକୁ ହାତୀପଲ କାଳେ ପ୍ରବେଶ କରିଯିବେ ସେ ନେଇ ୨ଟି ବିଭାଗର କର୍ମଚାରୀମାନେ ରାତିସାରା ହାତୀ ମାନଙ୍କୁ ଜଗି ରହିଥିଲେ। ଭୋର୍ ହେବା ପୂର୍ବରୁ ହାତୀ ମାନଙ୍କୁ ଉଦୁଗିରି ଜଙ୍ଗଲରେ ବନ ବିଭାଗ କର୍ମଚାରୀ ମାନେ ଘଉଡାଇବାରେ ସକ୍ଷମ ହୋଇଥିଲେ। ଏହି ହାତୀ ପଲରେ ୫ଟି ଦନ୍ତାଳ ୬ଟି ମାଈ ଓ ୫ଟି ଛୁଆ ଅଛନ୍ତି।
ପାଟ୍ରୋଲିଂ ଟିମ୍‌ରେ ବନ୍ୟପ୍ରାଣୀ ରେଂଜର ଚୁଡା ରାଣୀ ମୂର୍ମୁ, ଫରେଷ୍ଟର ଗୋଲାପ ସେଠୀ, ଗାର୍ଡ ବିକ୍ରମ କୁମାର ଜେନା, ତପନ କୁମାର ବାରିକ, ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ସାରା ରାତି ଅନିଦ୍ରା ରହି ହାତୀ ମାନଙ୍କୁ ଘଉଡାଇବାରେ ସକ୍ଷମ ହୋଇଛନ୍ତି। ତେବେ ହାତୀପଲ ଚାଷୀ ମାନଙ୍କର ବ୍ୟାପକ ଫସଲ ହାନି କରିଥିବା ଜଣା ପଡିଛି। ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ବନ ବିଭାଗ ନିକଟରେ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର