ବିଶୋଇ: ବର୍ଷକର ପୁଅ ସାମନାରେ ମା’କୁ ଦଳିଦେଇଛି ହାତୀ। ଆଶ୍ଚର୍ଯ୍ୟଜନକ ଭାବେ ହାତୀଟି ପୁଅର କୌଣସି କ୍ଷତି କରିନାହିଁ। ଜଙ୍ଗଲରେ ଶିଶୁଟି କାନ୍ଦିବାରୁ ସ୍ଥାନୀୟ ଲୋକେ  ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଗାରଗାଡ଼ି ବିଟ୍‌ ଅଧୀନ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗାରଗାଡ଼ି ଗ୍ରାମର ସାନବାଟା ନାଏକଙ୍କ ଝିଅ ଚାର୍ମେଇ ନାଏକ(୨୭) ଓରଫ କିକିଳି। 

Advertisment

ଲୁହାକାନି ପଞ୍ଚାୟତସ୍ଥିତ କାଶୀପେଣ୍ଟ ଗ୍ରାମର କୁଣ୍ଡିଆ ନାଏକଙ୍କୁ ଚାର୍ମେଇ ବିବାହ କରିଥିବା ବେଳେ କିଛିମାସ ପୂର୍ବରୁ ସେ ନିଜ ବାପଘର ଗାରଗାଡ଼ିରେ ରହୁଥିଲେ। ଆଜି ସକାଳ ପ୍ରାୟ ୮ଟା ସମୟରେ ଚାର୍ମେଇ ପତ୍ର ବାନ୍ଧିବା ପାଇଁ ଶାଳ ଛାଲି ଆଣିବାକୁ ନିଜ ବର୍ଷକର ପୁଅକୁ ଧରି ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ପୁଅକୁ ଏକ ଗଛମୂଳରେ ବସାଇ ଦେଇ ଛାଲି ସଂଗ୍ରହ କରୁଥିବା ସମୟରେ ହଠାତ୍‌ ଗୋଟିଏ ମାଖନା ଓ ଗୋଟିଏ ମାଈ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ଦୁଇଟି ଚାର୍ମେଇଙ୍କୁ ଦଳି ଚକଟି ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ମଧ୍ୟାହ୍ନ ଯାଏ ଚାର୍ମେଇଙ୍କ ମୃତ ଶରୀର ଘଟଣାସ୍ଥଳରେ ପଡ଼ିରହିଥିବା ବେଳେ ପାଖରେ ବସି ପୁଅଟି କାନ୍ଦି ଚାଲିଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଚାର୍ମେଇଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ।

ଖବରପାଇ ଉଭୟ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂ, ଏସିଏଫ୍‌ ତଥା ମଣଦା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ, ବନପାଳ ପ୍ରଭାତ ରଞ୍ଜନ ମହାନ୍ତ, ଏନ୍‌ବି ପୋଖରିଆ ଭାରପ୍ରାପ୍ତ ବନପାଳ ଶୁଭଲକ୍ଷ୍ମୀ ପାତ୍ର, ଚଢ଼େଇପାହାଡ଼ି ବନପାଳ ଛିତା ଟୁଡୁ, ସରଗଡ଼ା-୨ ଭାରପ୍ରାପ୍ତ ବନପାଳ ତରଙ୍ଗିନୀ ମହାନ୍ତ, ବନପାଳ ପଙ୍କଜ ବେହେରା, ବନପାଳ ଯାଜ୍ଞସେନୀ ମହାନ୍ତଙ୍କ ସମେତ ପାରାଷ୍ଟାଫ୍‌ଙ୍କୁ ନେଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ବିଶୋଇ ତହସିଲଦାର ସତ୍ୟବାନ ନାଏକଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୭/୨୫ ରେ ଏକ ମାମଲା ରୁଜୁ ହୋଇଛି। ଯୋଡ଼ିଆ ସରପଞ୍ଚ ସାବିତ୍ରୀ ସୋରେନ ଓ ପଞ୍ଚାୟତ ସମିତି ସଭ୍ୟ ଚାନ୍ଦ୍ରାୟ ସୋରେନ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବନବିଭାଗ ପକ୍ଷରୁ ଦଶାହ କ୍ରିୟା ପାଇଁ ୭୦ ହଜାର ଟଙ୍କା ଦିଆଯାଇଛି। ପରବର୍ତ୍ତୀ ସମୟରେ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି।