ବିପଦରେ କେନ୍ଦୁଝର ହାତୀ : ୨୦ ବର୍ଷରେ ମଲେଣି ୧୧୪ ହାତୀ

କେନ୍ଦୁଝର : ହାତୀ ସୁରକ୍ଷାକୁ ନେଇ ରହିଛି ଅନେକ ସରକାରୀ ଯୋଜନା। ବାସ୍ତବ କ୍ଷେତ୍ରରେ ଏହି ଯୋଜନାର କାର୍ଯ୍ୟକାରିତା ସେମିତି ଆଖିଦୃଶିଆ ନୁହେଁ। ଫଳତଃ ବର୍ଷକୁ ବର୍ଷ କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବଢ଼ି ଚାଲିଛି।

ସରକାରୀ ତଥ୍ୟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ୧୧୪ଟି ହାତୀ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ହାତୀ ପାଇଁ କେନ୍ଦୁଝର ଜଙ୍ଗଲ ବିପଦ ପାଲଟିଥିବା ଏଥିରୁ ସ୍ପଷ୍ଟ ହେଉଛି। ଜିଲ୍ଲାରେ ପ୍ରତିବର୍ଷ ହାରାହାରି ୧୨ଟି ପର୍ଯ୍ୟନ୍ତ ହାତୀର ମୃତ୍ୟୁ ହେବା ହାତୀ ସୁରକ୍ଷା ଯୋଜନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲାରେ ୨୦୦୧-୦୨ ବର୍ଷରେ ମୋଟ ୮ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ୨ଟି ହତୀ ବିଦ୍ୟୁତ୍‌ ଆଘାତରେ ମରିଥିଲେ। ସେହିପରି ୨୦୦୨-୦୩ ବର୍ଷରେ ୧୨ଟି ହାତୀ ମରିଥିଲେ। ୨୦୦୩-୦୪ ବର୍ଷରେ ୪ଟି ହାତୀଙ୍କ ଜୀବନ ଯାଇଥିଲା। ୨୦୦୪-୦୫ ବର୍ଷରେ ୧୨ଟି ହାତୀ, ୨୦୦୫-୦୬ ବର୍ଷରେ ୩ଟି ହାତୀ, ୨୦୦୬-୦୭ ବର୍ଷରେ ୬ଟି ହାତୀ, ୨୦୦୭-୦୮ ବର୍ଷରେ ୬ଟି ହାତୀ, ୨୦୦୮-୦୯ ବର୍ଷରେ ୮ଟି ହାତୀ, ୨୦୦୯-୧୦ ରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୦-୧୧ ରେ ୯ଟି ହାତୀ, ୨୦୧୧-୧୨ ବର୍ଷରେ ୪ଟି ହାତୀ, ୨୦୧୨-୧୩ ରେ ୯ଟି ହାତୀ, ୨୦୧୩-୧୪ ମସିହାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୪-୧୫ ରେ ୪ଟି ହାତୀ, ୨୦୧୫-୧୬ ରେ ୬ଟି ହାତୀ, ୨୦୧୭-୧୮ ରେ ୨ଟି ହାତୀ, ୨୦୧୮-୧୯ରେ ୩ଟି ହାତୀ, ୨୦୧୯-୨୦ ରେ ୬ଟି ହାତୀ ଓ ୨୦୨୦-୨୧ ମସିହାରେ ଆଜି ପର୍ଯ୍ୟନ୍ତ ୩ଟି ହାତୀ ମରିଛନ୍ତି।

ହାତୀ ମୃତ୍ୟୁର ପ୍ରମୁଖ କାରଣ ଭିତରୁ ରହିଛି ପ୍ରଥମଟି ବିଦ୍ୟୁତ୍‌ ଆଘାତ। ଏହି ୨୦ ବର୍ଷ ମଧ୍ୟରେ ୨୪ଟି ହାତୀ ବିଦ୍ୟୁତ୍‌ ଆଘାତରେ ଜୀବନ ହରାଇଛନ୍ତି। ସେହିପରି ୭ଟି ହାତୀ ଟ୍ରେନ ଦୁଘର୍ଟଣାରେ ମରିଛନ୍ତି। ଗତବର୍ଷ ଘଟଗାଁ ନିକଟରେ ଟ୍ରକ ଧକ୍କାରେ ୩ଟି ହାତୀଙ୍କ ଜୀବନ ଯାଇଥିଲା। ସେହିପରି ଦୁଇଟି ହାତୀ ବିଷକ୍ରିୟା ଯୋଗୁଁ ମରିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅନ୍ୟଗୁଡ଼ିକ ଆନ୍ଥ୍ରାକ୍ସ ଆକ୍ରାନ୍ତ, ଟେକାପଥର ମାଡ଼, ଶିକାରୀଙ୍କ ଦ୍ବାରା ହତ୍ୟା ଓ ଅସୁସ୍ଥତା ପାଇଁ ପ୍ରାଣ ହରାଇଛନ୍ତି। ଅଧିକାଂଶ ସମୟରେ ହାତୀ ସୁରକ୍ଷା ଓ ଗତିବିଧି ନଜର ପାଇଁ ନିୟୋଜିତ ଥିବା ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ଠିକ୍‌ ଭାବେ କାମ କରୁ ନଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ହାତୀ ସ୍କ୍ବାଡ୍‌ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ମଧ୍ୟ ଦୃଷ୍ଟିକୁ ଆସିଥିଲା। ଏଭଳିସ୍ଥଳେ କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ପରିବେଶବିତ୍‌ଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଏ ସଂପର୍କରେ କେନ୍ଦୁଝର ପ୍ରଗତିଶୀଳ ନାଗରିକ ମଞ୍ଚର ସଭାପତି ଧୀରେନ୍ଦ୍ର ରାଉତ କହିଛନ୍ତି, କେନ୍ଦୁଝର ହାତୀ ମୃତ୍ୟୁ ଘଟଣା ବେଶ୍‌ ଚିନ୍ତାଜନକ। ଯଦି ହାତୀ ସୁରକ୍ଷା ‌ଦିଗରେ ସୁଚିନ୍ତିତ ପଦକ୍ଷେପ ନିଆ ନ ଯାଏ, ଦିନ ଆସିବ କେନ୍ଦୁଝର ଜଙ୍ଗଲରେ ଗୋଟିଏ ବି ହାତୀ ଦେଖିବାକୁ ମିଳିବ ନାହିଁ।

ସମ୍ବନ୍ଧିତ ଖବର