ଯାଜପୁର, (ଚିତ୍ତରଂଜନ ବେହେରା) : ହାତୀ ଏବଂ ମଣିଷ ଲଢ଼େଇରେ ଜୀବନ ଉଚ୍ଛନ୍ନ ହେଉଥିବା ବେଳେ ଜୀବିକା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ୁଛି। ଜନବସତିରେ ପଶି ହାତୀ ଘରଦ୍ବାର ନଷ୍ଟ କରିବା ସହିତ ଫସଲ ଖାଉଛି, ନଷ୍ଟ କରୁଛି। ଏହିସବୁ କ୍ଷତିର କ୍ଷତ ଭରଣା କରିବା ସହଜ ହେଉନାହିଁ। ଜଙ୍ଗଲ କ୍ଷୟ, ଖାଦ୍ୟାଭାବ ଏବଂ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ପ୍ରମୁଖ କାରଣ ହାତୀଙ୍କୁ ବିପଦମୁହଁକୁ ଠେଲି ଦେଉଥିବା ବେଳେ ଆହାର ଅନ୍ବେଷଣରେ ହାତୀ ହେଉଛି ଜନବସତି ମୁହାଁ। ଘରଦ୍ବାର ଭାଙ୍ଗି ଖାଇ ଯାଉଛି ଧାନ ଚାଉଳ, ମଣଷ ମାରୁଛି। ପାହାଡ଼ ଜଙ୍ଗଲ ଘେରା କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର କେତେକାଂଶରେ ଗଜରାଜଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। କେଉଁଠି ଜୀବନ ଗଲାଣି ତ କେଉଁଠି ଜୀବିକା ପୂରା ବିପନ୍ନ। ଆଉ କିଏ ଗଜରାଜଙ୍କ ପାଇଁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲାଣି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ହାତୀ ମଣିଷ ଲଢ଼େଇରେ ଯେଉଁ କ୍ଷତ ଓ କ୍ଷତି ସୃଷ୍ଟି ହେଉଛି ତାହାର ଭରଣା କରି ହେଉନାହିଁ।
ବିଶେଷଜ୍ଞଙ୍କ ମତ ହେଲା ଯେ ଖଣି ଖାଦାନ, ଜଙ୍ଗଲ କ୍ଷୟ, ଜବରଦଖଲ, ଦାନ୍ତ ପାଇଁ ହାତୀ ଶିକାର ଏବଂ ବିକାଶ ପାଇଁ ଜଙ୍ଗଲ ସମ୍ପଦର ବହୁଳ ବ୍ୟବହାର ହାତୀବଂଶ ପାଇଁ ବିପଦ ଡାକି ଆଣିଛି। ହାତୀ ମଲେ ଲକ୍ଷେ, ଜିଇଲେ ଲକ୍ଷେ ଭଳି କଥାକୁ ପୂରା ଅପ୍ରାସଙ୍ଗିକ କରି ଦିଆଯାଉଛି। ଏଭଳି ବିପରୀତମୁଖୀ ପାରିବେଶିକ ଅବସ୍ଥା ହାତୀ ମଣିଷ ଲଢ଼େଇର ମୁଖ୍ୟ କାରଣ ସାଜିଥିବା ବେଳେ ବିଶେଷ କରି କେନ୍ଦୁଝର ଜିଲ୍ଲାରେ ସଂକଟଜନକ ସ୍ଥିତି ସୃଷ୍ଟି ହେଉଛି। ଶୁଷ୍କ, ଗ୍ରୀଷ୍ମ ମଣ୍ଡଳୀୟ ଏବଂ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ବିଭିନ୍ନ ବନ୍ୟଜନ୍ତୁଙ୍କ ପାଇଁ ଉପକୂଳ ପରିବେଶ ସୃଷ୍ଟି କରିଥାଏ। ଏଠାକାର ଜଙ୍ଗଲଜାତ ଦ୍ରବ୍ୟ, ଗଛଲଟା, ଝରଣାର ଜଳ ପ୍ରାଣୀ ସମ୍ପଦ ପାଇଁ ବେଶ ଉପଯୋଗୀ। ମାତ୍ର ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଅନିୟମିତ ବୃଷ୍ଟିପାତ ଏବଂ ଖାଦ୍ୟ ସଂକଟ ଆଦି ହାତୀ ଭଳି ବୃହତକାୟ ପ୍ରାଣୀଙ୍କୁ ଜନବସତି ମୁହାଁ କରୁଛି।
ଯୋଜନା ଓ ସମନ୍ବୟ ବିଭାଗର ଏକ ରିପୋର୍ଟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାରେ ୨୦୦୮ରୁ ୨୦୧୨ ମସିହା ମଧ୍ୟରେ ୧୨.୬୬ ବର୍ଗ କିମି ଶିଳ୍ପକାରଖାନା ପାଇଁ ଯାଇଥିବା ବେଳେ ଖଣି ପାଇଁ ୩୮.୩୬ ବର୍ଗ କିମି, ଶକ୍ତି ସଂଚାର ପାଇଁ ୨.୧୫ ବର୍ଗ କିମି, ରେଳବାଇ ପାଇଁ ୧.୦୨ ବର୍ଗ କିମି, ଜଳସେଚନ ପାଇଁ ୧୨.୩୬ବର୍ଗ କିମି, ନଦୀବନ୍ଧ ଯୋଜନାରେ ଯାଇଛି ୮.୧୫ କିମି, ପୁନର୍ବାସ ଓ ଥଇଥାନ ପାଇଁ୬.୬୫ ବର୍ଗ କିମି ଏବଂ ରାସ୍ତାଘାଟ ପାଇଁ ୪.୬୨ ବର୍ଗ କିମି ଯାଇଛି। ଏପ୍ରିଲ ୨୦୧୪ରୁ ମାର୍ଚ୍ଚ ୨୦୨୦ ମସିହା ପର୍ଯ୍ୟନ୍ତ ୮୦୫ଟି ହାତୀ ମଣିଷ ଲଢ଼େଇରେ ୫୨୭ ଜଣଙ୍କର ମୃତ୍ୟୁ ଘଟିଛି। ୪୪୨ ଜଣ ଆହତ ହୋଇଛନ୍ତି। ୨୦୧୯-୨୦ ମସିହାରେ କେବଳ କେନ୍ଦୁଝର ଜିଲ୍ଲାରେ ୧୦ ଜଣ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ହାତୀ ଶହଶହଜଘର ଭାଙ୍ଗିଛନ୍ତି, ହଜାରହଜାର ହେକ୍ଟର ଫସଲ ନଷ୍ଟ କରିଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଚଳର ଚାରି ଚାରିଟି ପରିବାର ହାତୀ ଭୟରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ।
ଅନ୍ୟପଟେ ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବନ ବିଭାଗ ଓ ବିଶେଷଜ୍ଞ ଦଳ ଯେଉଁ ଗାଇଡ଼ ଲାଇନ ପ୍ରସ୍ତୁତ କରିଛି, ତାହା ମଧ୍ୟ ଏଭପ୍ରକାର ଭେଳିକି ପରି ଲାଗୁଛି। ହାତୀ କବଳରୁ ରକ୍ଷା ପାଇଁ ଲଙ୍କା, ଝୋଟ, ଅଦା, ଆଳୁ, ତୈଳବୀଜ ଜାତୀୟ ଫସଲ କରିବାକୁ ପରାମର୍ଶ ଦିଆଯାଉଛି। ହାତୀଙ୍କର ପ୍ରଥମ ପସନ୍ଦ ମହୁଲ ଓ ଦେଶୀବନ୍ଧ ହୋଇଥିବା ବେଳେ ଏସବୁକୁ ମଧ୍ୟ ପରିହାର କରିବା ସହିତ ଘର ଠାରୁ ଦୂର ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଉଛି। ପ୍ରକୃତ ପକ୍ଷେ ସରକାରଙ୍କ ଏସବୁ ବ୍ୟବସ୍ଥାରେ ସାଧାରଣ ଲୋକେ କେତେ ଉପକୃତ ହୋଇପାରିବେ ଏବଂ ବିଭିନ୍ନ କ୍ଷେତ୍ର ପ୍ରସ୍ତୁତି ସ୍ଥଳରେ ଏହା କେତେଦୂର ସମ୍ଭବ ତାହା କେହି ବୁଝି ନାହାନ୍ତି। ଯୋଜନା ଯୋଜନା ବାଟରେ ରହି ଯାଉଥିବା ବେଳେ ଏହାର ପ୍ରକୃତ ଫାଇଦା ସାଧାରଣ ଲୋକ ପାଇପାରୁ ନାହିଁ।