ଯୁଯୁମୁରା: ଜଙ୍ଗଲୀ ହାତୀ ଫସଲ ଉଜାଡୁଛି। ଶହ ଶହ ଏକର ଧାନ ଚାଷ ଉପଯୋଗୀ ଜମି ପଡ଼ିଆ ପଡୁଛି। ଚାଷୀର ଆଖିରୁ ଲୁହ ବାହାରୁଛି। ହାତୀ ଭୟରେ ଚାଷୀ ଧାନ ଚାଷ ନକରି ହାତବାନ୍ଧି ରହୁଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଗତ କିଛି ବର୍ଷ ହେଲା ଶହ ଶହ ଏକର ଜମି ପଡ଼ିଆ ପଡ଼ିରହୁଥିବା ଦେଖାଯାଉଛି। କାରଣ ହାତୀମାନେ ଫସଲ ଅମଳ ପୂର୍ବରୁ ଆସି ତାଣ୍ଡବ ରଚୁଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ ପରିମାଣରେ ସରକାରୀ ସହାୟତା ମଧ୍ୟ ମିଳୁ ନାହିଁ। ତେଣୁ ଚାଷୀ ଧାନ ଚାଷ ପ୍ରତି ବିମୁଖ ହେଉଛି।
ଚାଷୀ ଅଲେଖ ରଣାଙ୍କ କହିବା ଅନୁସାରେ, ହାତୀମାନେ ଜଙ୍ଗଲରୁ ଆସି ଧାନ ଖାଇ ଦେଉଛନ୍ତି। ସେଥିପାଇଁ ଚାଷ କରିବାକୁ ଆଗ୍ରହ ହେଉନାହିଁ। ଗତବର୍ଷ ଠାରୁ ଆଉ ଧାନ ଚାଷ କରୁନାହିଁ। ହାତୀମାନଙ୍କର ଦ୍ବାରା ଧାନ ଫସଲ ନଷ୍ଟ ହେଲେ ସରକାର ଏକର ପିଛା ୧୦୦୦ ଟଙ୍କା ସହାୟତା ପ୍ରଦାନ କରନ୍ତି। ଯାହାକି ଖର୍ଚ୍ଚ ତୁଳନାରେ ବହୁତ କମ୍।
ମୁଣ୍ଢେର ନିବାସୀ ମାର୍କଣ୍ଡ ସାହୁଙ୍କ କହିବା ଅନୁସାରେ, ଧାନ ରୋପଣ ହେବା ପରେ ପରେ ହାତୀମାନେ ଆସି ଫସଲ ନଷ୍ଟ କରୁଛନ୍ତି। ଦଶହରା ପରେ ହାତୀ ଦୌରାତ୍ମ୍ୟ ଅଧିକ ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ପାଖାପାଖି ୩୫ ଏକର ଜମି ଧାନ ଚାଷ ହେଉ ନାହିଁ। ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ଗୋଟିଏ ଏକର ଚାଷ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ସରକାର ମାତ୍ର ୧ ହଜାର ଟଙ୍କା ସହାୟତା ପ୍ରଦାନ କରନ୍ତି। ପୁଣି ଫସଲ ନଷ୍ଟ ପାଇଁ ଯେଉଁ ସହାୟତା ମିଳିଥାଏ, ସେଥିପାଇଁ ଚାଷୀମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥାଏ। ଅଧିକାରୀଙ୍କ ପାଖକୁ ବାରମ୍ବାର ଯାଇ ନିବେଦନ କରିବାକୁ ପଡ଼ିଥାଏ।
ଗତ ୧୨ରୁ ୧୫ ବର୍ଷ ହେଲା ହାତୀ ଉପଦ୍ରବ ବଢ଼ିଚାଲିଛି। ପୂର୍ବରୁ ଗୋଟିଏ ଦୁଇଟା ହାତୀ ଆସୁଥିଲେ। ଆଜିକାଲି ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ବେଳେ ବେଳେ ୩୫ ଟିକିଆ ହାତୀପଲ ଆସୁଛନ୍ତି। ଏତେ ସଂଖ୍ୟାରେ ହାତୀ ଯଦି ଧାନଖେତ ଉପରେ ଚାଲି ଯାଆନ୍ତି, ତା’ହେଲେ ଖେତରେ ଆଉ ଫସଲ ରହେ ନାହିଁ। ହାତୀମାନଙ୍କର ଦ୍ବାରା ଚାଷୀ ବ୍ୟାପକ କ୍ଷତି ସହୁଛି। ପାହାଡ଼ ସନ୍ନିକଟ ହାତୀବାରି, ଝାଙ୍କରପାଲି, ଭବାନୀପାଲି ଓ ଉପରମୁଣ୍ଡାରେ ଥିବା ଜମିରେ ଚାଷ ହୋଇପାରୁ ନାହିଁ ବୋଲି ଭବାନୀପାଲି ନିବାସୀ ଉମେଶ ମାଝୀ କହନ୍ତି। ଏ ସଂପର୍କରେ ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା ହେଲା, ହାତୀ ଫସଲ ନଷ୍ଟକଲେ କ୍ଷୟକ୍ଷତି ଆକଳନ କରି ଏକ ହଜାରରୁ ଆରମ୍ଭ କରି ସର୍ବାଧିକ ୧୦ ହଜାର ଟଙ୍କା ଯାଏ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦେବାର ବ୍ୟବସ୍ଥା ଅଛି। ଅନ୍ୟପକ୍ଷରେ ଚାଷୀମାନେ ଏହି ଅନୁକମ୍ପାମୂଳ ରାଶି ୫୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-21.jpg)