ଯୁଯୁମୁରା: ସମ୍ବଲପୁର ଜିଲ୍ଲାରେ ପୁଣି ଏକ ହାତୀ ଶିକାର ହୋଇଛି। ଏଥର ବନ୍ୟପ୍ରାଣୀ ଶିକାର ନିମନ୍ତେ ବିଛାଯାଇଥିବା ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅବଶ୍ୟ, ବନ ବିଭାଗ ତ୍ବରିତ ପଦକ୍ଷେପ ନେଇ ଏହି ଘଟଣାରେ ସଂପୃକ୍ତ ୩ ଜଣ ଶିକାରୀଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଭୀମଖୋଜ ସେକ୍ସନ ଅଧୀନ ହାତୀବାରି- ବାନ୍ଦେର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ରବିବାର ସକାଳେ ବନ ବିଭାଗ ସୂଚନା ପାଇଥିଲା। ମୁଖ୍ୟ ବନ ସଂରକ୍ଷକ ଅରୁଣ ମିଶ୍ର ଓ ସମ୍ୱଲପୁର ଡିଏଫ୍‌ଓ ବିଶ୍ଵନାଥ ନିଲନ୍ନଭର ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ଜବତ କରିଥିଲେ। ଘଟଣାସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଥିଲା।

ମୃତ ହାତୀଟିର ଆନୁମାନିକ ବସୟ ୧୦ ବର୍ଷ ହେବ ଓ ବିଦ୍ୟୁତ ଆଘାତ ଲାଗି ତିନିଦିନ ପୂର୍ବରୁ ମୃତ୍ୟୁ ହୋଇଥିବ ବୋଲି ଶବ ବ୍ୟବଚ୍ଛେଦ କରିଥିବା ପ୍ରାଣୀଧନ ଚିକିତ୍ସକ ମତ ଦେଇଛନ୍ତି। ମାନେଶ୍ୱର ବିଭିଓ ଡାକ୍ତର କେ. ଏମ୍. ନଜର, ଚାରମାଳ ପ୍ରାଣୀ ଚିକିତ୍ସକ ଡାକ୍ତର ନବୀନ ଖୁଣ୍ଟିଆ, ଯୁଯୁମୁରା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପଲ୍ଲବୀରାଣୀ ପଟେଲ ପ୍ରମୁଖ ପହଞ୍ଚି ବ୍ୟବଚ୍ଛେଦ କରିଥିଲେ। ଏହି ମାମଲାରେ ଯୁଯୁମୁରା ଥାନା ଖଇରମାଲ ରଘୁଡେରାର ଦିଲୀପ ମିର୍ଦ୍ଧା (୩୪), ପ୍ରଶାନ୍ତ ମିର୍ଦ୍ଧା (୩୦) ଓ ବିଦେଶୀ ମିର୍ଦ୍ଧା (୪୦)ଙ୍କୁ ବନ ବିଭାଗ ଗିରଫ କରିଛି। ସୋମବାର ଅଭିଯିକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି। ସେମାନେ ବାର୍‌ହା, ହରିଣ ଭଳି ବନ୍ୟପ୍ରାଣୀ ଶିକାର ନିମନ୍ତେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରି ଜୀବନ୍ତ ବିଦ୍ୟୁତ ତାର ଜଂଗଲରେ ବିଛାଇଥିଲେ। ସେହି ରାସ୍ତା‌ରେ ଦନ୍ତାହାତୀ ଯିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲା ଓ ତା’ର ମୃତ୍ୟୁ ଘଟିଥିଲା। ହାତୀର ମୃତ୍ୟୁ ହେବା ଜାଣିବା ପରେ ଏହି ବନ୍ୟପ୍ରାଣୀ ଶିକାରୀ ତୁରନ୍ତ ବିଦ୍ୟୁତ ତାର ଖୋଲି ନେଇଯାଇଥି‌ଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମସିହାରେ ବିଭିନ୍ନ କାରଣରୁ ସମ୍ବଲପୁର ବନଖଣ୍ଡ ଅଂଚଳରେ ଅନେକ ହାତୀଙ୍କ ମୃତ୍ୟୁ ଘଟିଥିଲା। ଗତବର୍ଷ ଜୁନ ୨୧ ତାରିଖ ଦିନ ପଡ଼ିଆବାହାଲ ରେଞ୍ଜ ବଡ଼ସାହିର ସେକ୍ସନ ଅଧୀନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍ ଯୋଗେ ଉଦ୍ଧାର କରାଯାଇଥିବା ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ଜୁଲାଇ ୨୪ ତାରିଖ ଦିନ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅଞ୍ଚଳରେ ପୋଡ଼ାଜଳା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଥିଲା। ତବଲୋଇ ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିଲା ବେଳେ ଅନ୍ୟଟି କୋଲଗାଁ ସଂରକ୍ଷିତ ଜଙ୍ଗଲରୁ ମିଳିଥିଲା। ପୁଣି ଗତ ଡିସେମ୍ବର ୭ ତାରିଖ ଦିନ ପଡ଼ିଆବାହାଲ ରେଞ୍ଜ ଟାମ୍ପରଗଡ଼ ଧଳପାଳ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା।