ଧାନ ପାଚିବାପୂର୍ବରୁ ଖେତରେ ପଶିଲେ ହାତୀ, ରାତି ଅନିଦ୍ରାହୋଇ ଜଗିଲେ ଚାଷୀ!

ସହଯୋଗର ହାତ ବଢାଇଲା ବନବିଭାଗ

ବାଙ୍ଗିରିପୋଷି ( ପ୍ରଭାତ କୁମାର ହୋତା ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଂଚଳରେ ଗତ ୧୫ ଦିନ ହେଲାଣି ୧୩ଟି ଶିମିଳିପାଳ ହାତୀ ଆଡ଼୍ଡା ଜମାଇଛନ୍ତି। ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତର କନ୍ଦଳିଆ,ଶୁଆପାଟ ଓ ଧୋବଣୀଶୋଳ ଫଚାୟତର ଟୁଲିଆପାହାଡରେ ହାତୀଗୁଡ଼ିକ ଦିନବେଳେ ରହୁଥିବା ବେଳେ ରାତି ହେଲେ ଉତ୍ପାତ ଆରମ୍ଭ କରୁଛନ୍ତି। ସାଧାରଣତଃ ନଭେମ୍ବର ଓ ଡିସେମ୍ବର ମାସରେ ଧାନ ପାଚିଲା ଗନ୍ଧ ପାଇ ହାତୀ ଆସୁଥିବା ବନବିଭାଗ କହୁଥିବା ବେଳେ ଚଳିତ ବର୍ଷ ବହୁ ପୂର୍ବରୁ ହାତୀ ଧାନ ଖାଇବା ପାଇଁ ପହଞ୍ଚି ଯାଇଛନ୍ତି।

୧୩ ଟି ବଣୁଆ ହାତୀଙ୍କ ମଧ୍ୟରେ ଦୁଇଟି ଛୁଆ ହାତୀ ବି ରହିଛନ୍ତି। ସାଧାରଣତଃ ବାଘ ଦାଉରୁ ନିଜ ଛୁଆ କୁ ବଞ୍ଚାଇବା ପାଇଁ ହାତୀ ପାହାଡରୁ ତଳକୁ ଆସିଥାଏ ବୋଲି ରେଞ୍ଜର ତପନ କୁମାର ଦାସ କହିଛନ୍ତି। ଛୁଆ ବଡ଼ ନ ହେବା ପର୍ଯ୍ୟନ୍ତ ହାତୀ ସ୍ଥାନ ଛାଡ଼ି ଯାଏ ନାହିଁ ବୋଲି ଜଣାପଡିଛି। ଚାଷୀଙ୍କ ଚିନ୍ତା ଏବେ ବଢିଯାଇଛି। ଗଛ ଉପରେ ମଂଚା ବାନ୍ଧି ଚାଷୀ ରାତି ଦିନ ଲଗାଣ ବର୍ଷାରେ ମଧ୍ୟ ଜଗିରହୁଛି। ତେବେ ଡିଏଫଓ ଙ୍କ ନିର୍ଦ୍ଦେଶକ୍ରମେ ବାଙ୍ଗିରିପୋଷି ରେଞ୍ଜର କର୍ମଚାରୀ ଦିନ ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି।

ଚାଷୀଙ୍କ ଖେତକୁ ବଞ୍ଚାଇବା ପାଇଁ ବନବିଭାଗ ମଶାଲ, ବାଣ, ନିଆଁହୁଳା ସହିତ ଟର୍ଚ୍ଚଲାଇଟ୍ ଜଳାଇ ଉଦ୍ୟମ କରୁଥିବା ଜଣାପଡ଼ିଛି। ତଥାପି ଯଦି ହାତୀ କ୍ଷତି କରୁଛନ୍ତି ତେବେ ତୁରନ୍ତ ବନବିଭାଗ ଅଫିସରେ ଅଭିଯୋଗ କରିବା ପାଇଁ କୁହାଯାଇଛି। ତେବେ କିଛି ଜନସାଧାରଣ କହନ୍ତି ହାତୀ ଆସି ନ ପାରିବା ପାଇଁ ଖୋଳା ଯାଇଥିବା ଗାତ ବା ଷ୍ଟ୍ରେଚ ଗୁଡିକ ପୋତି ଯାଇଥିବାରୁ ହାତୀ ପଳାଇ ଆସୁଛନ୍ତି ।

ଗରିବ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ଦାବି ହୋଇଛି। ରେଞ୍ଜ ତପନ କୁମାର ଦାସ କହନ୍ତି କାହାରି କୁ ବନବିଭାଗ କେବେ ଅଣଦେଖା କରିନାହିଁ। ଯିଏ ଅଭିଯୋଗ କରିଛନ୍ତି ତଦନ୍ତ ପରେ ତାର କ୍ଷତିପୂରଣ ପ୍ରାପ୍ୟ ଆସିଲେ ଚେକ ମାଧ୍ୟମରେ ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର