ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଓ କିର୍ମିରା ବ୍ଲକ୍ରେ ହାତୀ ଉପଦ୍ରବ ଜାରି ରହିଛି। କିର୍ମିରା ବ୍ଲକର ଗଉଡ଼ପାନପାଲି ପଞ୍ଚାୟତର କାଦୋବାହାଲ ଜଙ୍ଗଲରୁ ବୁଧବାର ଅପରାହ୍ଣରେ ତିନୋଟି ଦନ୍ତା ହାତୀ ଗାଁ ନିକଟକୁ ଚାଲି ଆସିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ଗ୍ରାମବାସୀ ବନ ବିଭାଗକୁ ଖବର ଦେବାପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିଥିଲେ। କିଛି ସମୟ ପରେ ସେହି ତିନୋଟି ହାତୀ ଭାଲୁପତ୍ରା ଗ୍ରାମରେ ପଶି ଅନେକ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ସୁନାଝରିଆ ଗ୍ରାମର ପନିପରିବା ବଗିଚା ନଷ୍ଟ କରିଥିଲେ। ହାତୀ ଏହି ଗ୍ରାମର ବିରାଟ ଆମ୍ବ ବଗିଚାକୁ ପଶି ପାଚିଲା ଆମ୍ବ ଗଛଗୁଡ଼ିକୁ ଭାଙ୍ଗି ଦେଇଥିବା କୁହାଯାଉଛି।
ବୁଧବାର ରାତି ପ୍ରାୟ ୯ଟା ସମୟରେ ହାତୀ ଭାଲୁପତ୍ରା ଗ୍ରାମର ଗଣେଶ ଗୁଖୁରାଙ୍କ ଘରେ ପଶି ଝରକା ଭାଙ୍ଗୁଥିବା ସମୟରେ ଘର ଲୋକ ଚେଇଁ ପଡି ହୋହଲ୍ଲା କରିଥିଲେ। ପରେ ପାଖ ଯୋଗେଶ୍ବରୀ ଗୁଖୁରାଙ୍କ ଘର ଭାଙ୍ଗି ଦେଇଥିଲେ। ହାତୀପଲ ଗୋଟିଏ ପରେ ଗୋଟିଏ ଘର ଭାଙ୍ଗୁଥିବା ସମୟରେ ବନ ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କୁ ଘଉଡ଼ାଇଥିଲେ। ଏହା ପରେ ହାତୀପଲ ସୁନାଝରିଆ ଗାଁରେ ପଶି ଉପେନ୍ଦ୍ର ନାଏକ ଓ ବିଶ୍ବାମିତ୍ର ନାଏକଙ୍କ ଦୁଇ ଏକର ଜମିର ଏକ ବଗିଚାରେ ଫଳିଥିବା ଆମ୍ବଗଛଗୁଡିକୁ ଭାଙ୍ଗି ଦେଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/3bc2cfe7-c5cf-4389-b321-8d7cac42dd6c.jpg)