ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନରେ ହାତୀ ଉପଦ୍ରବ ଜାରି

ଭାଙ୍ଗିଲେ ବିଦ୍ୟାଳୟର ପାଚେରି ଓ ଝରକା

ଚମ୍ପୁଆ : ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନରେ ଗତ କିଛି ଦିନ ହେବ ଏକ ୧୪ ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ହାତୀପଲ ଦିନରେ ନିକଟସ୍ଥ ଜଙ୍ଗଲରେ ଛପି ରହୁଥିବା ବେଳେ ସଂଜ ନଇଁଲେ ଗାଁ ମୁହାଁ ହେଉଛନ୍ତି। ଗାଁରେ ପଶି ବ୍ୟାପକ କ୍ଷତି ଘଟାଉଛନ୍ତି। କାହାର ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଉଛନ୍ତି ତ ଆଉ କାହା ବାଡ଼ିରେ ପଶି ପରିବା ଚାଷ ଉଜାଡ଼ି ଦେଉଛନ୍ତି। ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁଯାୟୀ, ଏହି ସେକ୍ସନ ଅନ୍ତର୍ଗତ ରେଭେନ୍ସାପୁର(ଖ) ଓ ରୁଗୁଡି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଝରକା ଓ ପାଚେରିକୁ ହାତୀପଲ ଭାଙ୍ଗି ଦେଇଛନ୍ତି। କିଛି ଦିନ ହେବ ହାତୀପଲ ଉକ୍ତ ସେକ୍ସନର ବିଭିନ୍ନ ଗାଁ ଜଙ୍ଗଲ ରହି ସନ୍ଧ୍ୟାହେଲେ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ପଶିୁଛନ୍ତି। ଏହି ହାତୀପଲ ନିକଟସ୍ଥ ଜଙ୍ଗଲରେ ଆଜି ଦିନତମାମ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଭୟରେ ନିଆଁ ଜାଳି ରାତି ଉଜାଗର ରହୁଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ୧୪ଟିକିଆ ହାତୀପଲ ଜଙ୍ଗଲରୁ ବାହାରି ରେଭେନ୍ସାପୁର(ଖ) ଓ ରୁଗୁଡି ପ୍ରାଥମିକ ବିଦ୍ୟାଳୟର ପାଚେରି ଭାଙ୍ଗି ବିଦ୍ୟାଳୟରେ ପଶି ଝରକାକୁ ଭାଙ୍ଗି ଦେଇଥିଲେ। ଫଳରେ ବିଦ୍ୟାଳୟର ଟେବୁଲ, ଡେକ୍ସ, ଚେୟାର ଅନ୍ୟାନ୍ୟ ଜିନିଷପତ୍ର ଭାଙ୍ଗି ଯାଇଛି।

ହାତୀପଲଙ୍କୁ ଲୋକେ ଯେତେ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ହାତୀପଲ କୁଆଡ଼େ ଯାଇ ନଥିଲେ। ହାତୀପଲ ଗ୍ରାମରେ ଉତ୍ପାତ କରୁଥିବାରୁ ଗ୍ରାମବାସୀ ଭୟରେ ରାତି ଉଜାଗର ରହୁଛନ୍ତି। ବନ ବିଭାଗ ପକ୍ଷରୁ ଗଠିତ ସ୍କ୍ବାଡ଼ ଏବଂ ଗଜସାଥୀ ହାତୀଙ୍କ ଗତିବିଧି ଉପରେ ନଜର ରଖୁ ନାହାନ୍ତି କି ବନ ବିଭାଗ ହାତୀ ଘଉଡ଼ାଇବା କାମ କରୁନାହିଁ। ଏଭଳି ସ୍ଥିତିରେ ‌ସ୍ଥାନୀୟ ଅଧିବାସୀ ହାତୀପଲଙ୍କ ପାଇଁ ଅସୁବିଧାରେ ପଡ଼ୁଛନ୍ତି। ଅନେକଙ୍କ ବର୍ଷକର ଆହାର ହାତୀ ମୁହଁରେ ଯାଉଥିବା ବେଳେ ଘରଦ୍ବାର ଉଜୁଡ଼ି ଯାଉଛି। ତୁରନ୍ତ ଏଥିପ୍ରତି ବନବିଭାଗ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର