ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ

କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରେ ୬ ଟିକିଆ ଢେଙ୍କାନାଳ ହାତୀପଲ ପଶି ଆସିଛନ୍ତି। କାମାକ୍ଷାନଗର ପୂର୍ବ ରେଞ୍ଜ୍ ବିରାଶାଳ ସେକ୍ସନର କଣ୍ଢାର ସଂରକ୍ଷିତ ଜଙ୍ଗଲ ଓ ରଞ୍ଜାଗଡ଼ ପାହାଡ଼ ଦେଇ ଏହି ହାତୀପଲ ଗତ ୧ ତାରିଖ ରାତିରେ ପ୍ରଥମେ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ବାଘୁଆସାହିରେ ପଶିଥିଲେ। ଖାଦ୍ୟ ଅନ୍ବେଷଣରେ ହାତୀପଲ ବାଟବଣା ହୋଇ ରଗଦା ଡ୍ୟାମ ପାଖ, ବେଣାଗାଡ଼ିଆ ବଳିଘର, କ୍ଷୀରୋଦ ମହାନ୍ତ ଘର ପାଖ ବୁଦୁବୁଦୁକିଆ ଜଙ୍ଗଲ ଓ ରଙ୍ଗମାଟିଆ ଗାଁ ରାସ୍ତା ପରେ ଡମଶାଳ ନାଳ ଅତିକ୍ରମ କରିଥିଲେ। ନାଳରୁ ଉଠି ଏହା ସଂଲଗ୍ନ କାଟେପୂର୍ତ୍ତି ସରକାରୀ ପ୍ରାଥମିକ ସ୍କୁଲ ପାଚେରି ଭାଙ୍ଗିଥିଲେ। ସ୍କୁଲ୍‌ ଘରେ ଗଚ୍ଛିତ ଥିବା ଚାଉଳ ବାସ୍ନା ବାରି ପ୍ରାୟ ୧୫ ଫୁଟ ପାଚେରି କାନ୍ଥ ଭାଙ୍ଗି ଦେଇଥିଲେ। ସେଠାରେ ‌ଲୋକଙ୍କ ଉପସ୍ଥିତି ଥିବାରୁ ହାତୀପଲ ଫେରି ଯାଇଥିଲେ।

ଏହି ହାତୀପଲ ମାଙ୍କେଡ଼ିଆ ବସ୍ତି ଓ ଭୀମଟାଙ୍ଗର ଗାଁ ତଳ ବାଟରେ କଲରଙ୍ଗି ବନ ବିଭାଗ ବୃହତ୍‌ ଔଷଧୀୟ ବଗିଚା ପାର୍ଶ୍ବ ଦେଇ ପାହାନ୍ତା ପୂର୍ବରୁ ପୁଣି ଢେଙ୍କାନାଳ ସୀମା ବାଟରେ ଦର୍ଜନି ଜଙ୍ଗଲ ଆଡ଼କୁ ପଳାଇଥିବା ସୂଚନା ମିଳିଛି। ବିଭିନ୍ନ ଗାଁ ଗଣ୍ଡାରେ ହାତୀପଲ ବୁଲିଥିଲେ ମଧ୍ୟ ସେଭଳି କ୍ଷୟକ୍ଷତି ହୋଇନଥିବା କୁହାଯାଇଛି। ଏସଂପର୍କରେ ରାଁସୋଳ ବନପାଳ ନରେଶ କୁମାର ଟୁଡ଼ୁଙ୍କୁ ପଚାରିବାରେ ଢେଙ୍କନାଳର ହାତୀପଲ ଖଣିଅଞ୍ଚଳକୁ ଆସିଥିବା ଜାଣି ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା। ୫ ଜଣିଆ ସ୍କ୍ବ‌ାଡ୍‌ ହାତୀ ଘଉଡ଼ାଇବା କାମରେ ନିୟୋଜିତ ଥିଲେ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର