ରାଉରକେଲା: ବସ୍ତିମୁହାଁ ହାତୀପଲଙ୍କୁ ଘୋଡାଇବାକୁ ନାକେଦମ୍ ହେଉଛନ୍ତି ବନ ବିଭାଗ କର୍ମଚାରୀ। ହାତୀପଲଙ୍କ ଯୋଗୁ ଉଜୁଡିଯାଉଛି ଏକର ଏକର ଫସଲ। ସଂଧ୍ୟାରେ ଅଘୋଷିତ ବିଦ୍ୟୁତ୍ କାଟରୁ ହାତୀପଲ ବସ୍ତି ମୁହାଁ ହେଉଛନ୍ତି। ଫଳରେ ମାସ ମାସ ଧରି ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ଧାରରେ ରାତି କାଟିବାକୁ ପଡୁଛି। ପ୍ରତିକାର ପାଇଁ ଗ୍ରାମବାସୀମାନେ ଥରେ କି ଦୁଇଥର ନୁହେଁ ଅନେକ ବାର ବନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏମିତି ସ୍ଥିତି ଉପୁଜିଛି ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି ପଞ୍ଚାୟତରେ। ଦିନବେଳା ହାତୀପଲ ସୋନାପର୍ବତ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସଂଧ୍ୟା ହେଲେ ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ବେଷଣରେ ବସ୍ତିମୁହାଁ ହେଉଛନ୍ତି।
ବନ ବିଭାଗ କର୍ମଚାରୀ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ପଞ୍ଚାୟତ ୧୦ରୁ ଅଧିକ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରତିବାଦରେ ଗଣେଶ ଭୂମିଜ, ଜୟସିଂ ସିଂହ, ଗୀତା ତନ୍ତି, ସୁରେଶ ସମାସିଙ୍କ ନେତୃତ୍ବରେ ୧୦ ଗ୍ରାମର ଶତାଧିକ ପୁରୁଷମହିଳା ଛେଣ୍ଡ ବାଗବୁଡ଼ିବସ୍ତି ପାନପୋଷ ରେଞ୍ଜ ଘେରିଥିଲେ। ହାତୀପଲଙ୍କୁ ପଞ୍ଚାୟତ ନିକଟରୁ ନ ଘଉଡାଇବା ପର୍ଯ୍ୟସ୍ତ ଅଫିସରୁ ହଟିବୁ ନାହିଁ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଥିଲେ। ଛେଣ୍ଡ ପୁଲିସ ଓ ପାନପୋଷ ବନ ବିଭାଗ କର୍ମଚାରୀ ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଶେଷରେ ହାତୀପଲଙ୍କୁ ଘଉଡାଇବା ସହ ଅଘୋଷିତ ବିଦ୍ୟୁତ୍ କାଟ ନ ହେବାକୁ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ। ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି ପଞ୍ଚାୟତ ନୁହେଁ ଅନ୍ୟ କିଛି ପଞ୍ଚାୟତରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ହାତୀପଲଙ୍କ ଉତ୍ପାତ ଯୋଗୁ ବର୍ଷ ବର୍ଷ ବସ୍ତିବାସିନ୍ଦାଙ୍କୁ ସମଦଶା ଭୋଗିବାକୁ ପଡୁଛି।